ଡିଜିଟାଲ୍ ଆଧାର ସେବାକୁ ନେଇ ଦେଶବାସୀଙ୍କ ମଧ୍ୟରେ ବଢ଼ୁଥିବା ଆଗ୍ରହର ଆଉ ଏକ ବଡ଼ ପ୍ରମାଣ ମିଳିଛି। ଆଧାର ଆପ୍ ୫ କୋଟି ଡାଉନଲୋଡ୍ର ମାଇଲଖୁଣ୍ଟ ଅତିକ୍ରମ କରିଛି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଗୁରୁବାର ଜାରି କରିଥିବା ପ୍ରେସ୍ ରିଲିଜ୍ରେ ଏହି ସୂଚନା ଦେଇଛି।
ସ୍ମାର୍ଟଫୋନ୍ ମାଧ୍ୟମରେ ଆଧାର ସେବାକୁ ସହଜ କରିବା ଏହି ଆପ୍ ଏବେ ଆଧାରଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମ ପାଲଟିଛି। ଆପ୍ ଜରିଆରେ ମୋବାଇଲ୍ ନମ୍ବର ଅପଡେଟ୍, ଠିକଣା ଓ ଇ-ମେଲ୍ ପରିବର୍ତ୍ତନ, ବାୟୋମେଟ୍ରିକ୍ ଲକ୍/ଅନଲକ୍ ଏବଂ ଇ-ଆଧାର ଡାଉନଲୋଡ୍ ଭଳି ସେବା ଉପଲବ୍ଧ ହେଉଛି। ଫଳରେ ଅନେକ କାମ ପାଇଁ ଆଧାର କେନ୍ଦ୍ରକୁ ଯିବାର ଆବଶ୍ୟକତା କମିଛି।
UIDAI ଅନୁସାରେ, ଆପ୍ ମାଧ୍ୟମରେ ଏପର୍ଯ୍ୟନ୍ତ ୬୦ ଲକ୍ଷରୁ ଅଧିକ ମୋବାଇଲ୍ ନମ୍ବର, ୧୫ ଲକ୍ଷରୁ ଅଧିକ ଠିକଣା ଏବଂ ୨୩ ଲକ୍ଷରୁ ଅଧିକ ଇ-ମେଲ୍ ଅପଡେଟ୍ କରାଯାଇଛି। ଏହା ଆଧାର ସେବାର ଡିଜିଟାଲ୍ ବ୍ୟବହାର କେତେ ଦ୍ରୁତ ଭାବେ ବଢ଼ୁଛି, ତାହା ସ୍ପଷ୍ଟ କରୁଛି।
ଆଧାର ଆପ୍କୁ ‘Show, Share and Verify’ ନୀତିକୁ ଆଧାର କରି ଡିଜାଇନ୍ କରାଯାଇଛି। ଏହା ମାଧ୍ୟମରେ ଆଧାରଧାରୀ ନିଜ ପରିଚୟ ସୂଚନା କେବେ, କେଉଁଠି ଏବଂ କେତେ ପରିମାଣରେ ସେୟାର କରିବେ, ସେଥିରେ ଅଧିକ ନିୟନ୍ତ୍ରଣ ପାଇପାରୁଛନ୍ତି। ଏଥିସହ ସୁରକ୍ଷିତ ଓ ସହଜ ପରିଚୟ ଯାଞ୍ଚକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଆଧାର ଆପ୍ ସହିତ UIDAI ଅଫ୍ଲାଇନ୍ ଓ ସମ୍ମତିଭିତ୍ତିକ ପରିଚୟ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ ବିସ୍ତାର କରୁଛି। ଜାନୁଆରୀରେ ଏହି ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ୨୦୦ରୁ ଅଧିକ ସଂସ୍ଥା Offline Verification Seeking Entities (OVSEs) ଭାବେ ସାମିଲ ହୋଇଛନ୍ତି।
QR କୋଡ୍ ଆଧାରିତ ଯାଞ୍ଚ ଓ ସୁରକ୍ଷିତ ଡିଜିଟାଲ୍ ସାଇନ୍ ହୋଇଥିବା ଡକ୍ୟୁମେଣ୍ଟ ମାଧ୍ୟମରେ ଆଧାର ତଥ୍ୟ ଯାଞ୍ଚ କରାଯାଇପାରିବ। ଏଥିପାଇଁ UIDAIର କେନ୍ଦ୍ରୀୟ ଡାଟାବେସ୍ ସହ ରିଅଲ୍-ଟାଇମ୍ ସଂଯୋଗର ଆବଶ୍ୟକତା ନାହିଁ।
ଅଫ୍ଲାଇନ୍ ଭେରିଫିକେସନ୍ ବ୍ୟବସ୍ଥାରେ ଆଧାରଧାରୀଙ୍କୁ ଯାଞ୍ଚ ପାଇଁ ଆବଶ୍ୟକ ନ୍ୟୁନତମ ତଥ୍ୟ ହିଁ ସେୟାର କରିବାର ସୁଯୋଗ ମିଳିବ। ଏହା ତଥ୍ୟର ଗୋପନୀୟତା ସହିତ ନାଗରିକଙ୍କ ନିଜସ୍ୱ ତଥ୍ୟ ଉପରେ ନିୟନ୍ତ୍ରଣକୁ ମଜବୁତ କରିବ।
ଆଧାର ଆପ୍ର ୫ କୋଟି ଡାଉନଲୋଡ୍ ଏବଂ ଅଫ୍ଲାଇନ୍ ଭେରିଫିକେସନ୍ର ବିସ୍ତାର ଦେଶର ଡିଜିଟାଲ୍ ପରିଚୟ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ସୁରକ୍ଷିତ, ସହଜ ଓ ଗୋପନୀୟତା-କେନ୍ଦ୍ରିକ ସେବା ମାଧ୍ୟମରେ ‘Digital India’ର ଲକ୍ଷ୍ୟକୁ ଆହୁରି ଗତି ମିଳିବ ବୋଲି ଆଶା କରାଯାଉଛି।
