ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ହକି ଦଳ ରଚିଛି ନୂଆ ଇତିହାସ। ନାଗୋୟାରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲରେ ଚୀନକୁ ୧-୦ ଗୋଲରେ ପରାସ୍ତ କରି ଦୀର୍ଘ ୪୪ ବର୍ଷ ପରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ।
ମ୍ୟାଚ୍ର ଦଶମ ମିନିଟ୍ରେ ଲାଲ୍ରେମସିଆମିଙ୍କ ଗୁରୁତ୍ୱପୂର୍ଣ୍ଣ ଗୋଲ୍ ଭାରତକୁ ଆଗୁଆ କରିଥିଲା। ଏହାପରେ ଚୀନ୍ ଅନେକ ଆକ୍ରମଣ କରିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଦୃଢ଼ ରହିଥିଲା। ଶେଷ ପର୍ଯ୍ୟନ୍ତ ଭାରତ ଏକଗୋଲର ଅଗ୍ରଣୀକୁ ବଜାୟ ରଖି ସ୍ୱର୍ଣ୍ଣ ନିଜ ନାମରେ କରିଥିଲା।
ଏହି ସଫଳତା ସହ ଭାରତୀୟ ଦଳ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ମଧ୍ୟ ହାସଲ କରିଛି।
ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ହକି ଦଳ ଶେଷ ଥର ପାଇଁ ୧୯୮୨ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ପରବର୍ତ୍ତୀ ସମୟରେ ୧୯୯୮ ଓ ୨୦୧୮ରେ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଯଥାକ୍ରମେ ଦକ୍ଷିଣ କୋରିଆ ଓ ଜାପାନଠାରୁ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ତେବେ ୨୦୨୬ରେ ଭାରତୀୟ ଦଳ ଏହି ଅପେକ୍ଷାର ଅନ୍ତ ଘଟାଇଛି। ସାରା ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ସୁନେଲିତା ଟପ୍ପୋଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।
ଫାଇନାଲର ପ୍ରଥମ କ୍ୱାର୍ଟରରେ ଚୀନ୍ ଅଧିକ ସମୟ ବଲ୍ର ନିୟନ୍ତ୍ରଣରେ ରହି ଭାରତୀୟ ସର୍କଲ୍କୁ ବାରମ୍ବାର ପ୍ରବେଶ କରିଥିଲା। ହେଲେ ଭାରତୀୟ ଡିଫେନ୍ସ ଶୃଙ୍ଖଳିତ ଭାବେ ଖେଳି ଚୀନ୍କୁ ବଡ଼ ସୁଯୋଗ ଦେଇନଥିଲା। ରକ୍ଷଣଭାଗରେ ଭାରତୀୟ ଖେଳାଳିଙ୍କ ସମନ୍ୱୟ ଶେଷ ପର୍ଯ୍ୟନ୍ତ ଦଳକୁ ବିଜୟ ଦେଇଥିଲା।
୪୪ ବର୍ଷର ଅପେକ୍ଷା ପରେ ମହିଳା ହକିରେ ଏହି ସ୍ୱର୍ଣ୍ଣ ଭାରତୀୟ କ୍ରୀଡ଼ା ଇତିହାସରେ ଏକ ଉଲ୍ଲେଖନୀୟ ଅଧ୍ୟାୟ ଯୋଡ଼ିଛି।
