Home Odishaଓଡ଼ିଶାରୁ ବିଦାୟ ନେଲା ମୌସୁମୀ, ତଥାପି ଟଳିନି ବର୍ଷା ବିପଦ; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାରୁ ବିଦାୟ ନେଲା ମୌସୁମୀ, ତଥାପି ଟଳିନି ବର୍ଷା ବିପଦ; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

by Akshay Maharana
0 comments

ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିପାରେ ପବନ; ୧୭ ଅକ୍ଟୋବରରେ କୋରାପୁଟକୁ ପ୍ରବଳ ବର୍ଷା ସତର୍କତା, ଓଡ଼ିଶା ସମେତ ସମଗ୍ର ଦେଶରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଗୁରୁବାର ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ରାଜ୍ୟରେ ବର୍ଷା ଓ ବଜ୍ରପାତ ଆଶଙ୍କା ଜାରି ରହିଛି। ବଙ୍ଗୋପସାଗରରେ ସକ୍ରିୟ ପାଣିପାଗ ପ୍ରଣାଳୀ ପ୍ରଭାବରେ ଆସନ୍ତା କିଛି ଦିନ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇପାରେ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୫ ଅକ୍ଟୋବରରେ ଜାରି ବୁଲେଟିନ୍ ଅନୁଯାୟୀ, ରାଜ୍ୟର ୧୦ଟି ଜିଲ୍ଲାରେ ବଜ୍ରପାତ ଓ ଝଡ଼ପବନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ ଭାରତରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ତାମିଲନାଡୁ ଉପକୂଳରୁ ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ଓଡ଼ିଶା ଉପକୂଳ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ବିସ୍ତାରିତ ହୋଇଛି। ଏହା ସମୁଦ୍ରପତ୍ତନଠାରୁ ପ୍ରାୟ ୧.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି।

ଏହି ପାଣିପାଗ ପ୍ରଣାଳୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।

୧୫ ଅକ୍ଟୋବର ସକାଳ ସାଢ଼େ ୮ଟାରୁ ୧୬ ଅକ୍ଟୋବର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହୋଇପାରେ।

ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ୧୬ ଅକ୍ଟୋବରରେ ମଧ୍ୟ କଟକ, ଜଗତସିଂହପୁର ସମେତ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାରେ ସମାନ ସତର୍କତା ରହିଛି।

୧୭ ଅକ୍ଟୋବରରୁ ୧୮ ଅକ୍ଟୋବର ସକାଳ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ବଜ୍ରପାତ ସହ ଝଡ଼ପବନ ଆଶଙ୍କା ରହିଛି। ତେବେ ୧୮ ଓ ୧୯ ଅକ୍ଟୋବର ପାଇଁ କୌଣସି ସ୍ୱତନ୍ତ୍ର ସତର୍କତା ଜାରି ହୋଇନାହିଁ।

ଗୁରୁବାର ସକାଳ ସାଢ଼େ ୮ଟା ସୁଦ୍ଧା ଗଞ୍ଜାମର ଦିଗପହଣ୍ଡି ଓ ନୟାଗଡ଼ର ଓଡ଼ଗାଁରେ ସର୍ବାଧିକ ୫ ସେଣ୍ଟିମିଟର ଲେଖାଏଁ ବର୍ଷା ରେକର୍ଡ ହୋଇଛି। ପୁରୀର କୃଷ୍ଣପ୍ରସାଦ ଓ ଗଞ୍ଜାମର ସାନଖେମୁଣ୍ଡିରେ ୪ ସେମି ଏବଂ ବାରିପଦା, ପୋଲସରା, ପାତ୍ରପୁର ଓ ଦେବଗଡ଼ରେ ୩ ସେମି ବର୍ଷା ହୋଇଛି।

ଅନ୍ୟପକ୍ଷରେ ବରଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଏବଂ ଫୁଲବାଣୀରେ ସର୍ବନିମ୍ନ ୧୯.୫ ଡିଗ୍ରୀ ରେକର୍ଡ ହୋଇଛି।

ଆସନ୍ତା ୨୪ ଘଣ୍ଟାରେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବ। ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ ବର୍ଷା ଅଥବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସର୍ବାଧିକ ତାପମାତ୍ରା ପ୍ରାୟ ୩୪ ଡିଗ୍ରୀ ଓ ସର୍ବନିମ୍ନ ୨୫ ଡିଗ୍ରୀ ରହିବାର ସମ୍ଭାବନା ରହିଛି।

ବଜ୍ରପାତ ସମୟରେ ଖୋଲା ସ୍ଥାନ, ଉଚ୍ଚ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ନିକଟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ପୂର୍ବାନୁମାନ ପାଇଁ ‘MAUSAM’ ଏବଂ ବଜ୍ରପାତ ସତର୍କତା ପାଇଁ ‘Damini’ ଆପ୍ ବ୍ୟବହାର କରିବାକୁ କୁହାଯାଇଛି।

ମୌସୁମୀ ବିଦାୟ ନେଇଥିଲେ ମଧ୍ୟ ଓଡ଼ିଶାରେ ବର୍ଷା ସମ୍ଭାବନା ଜାରି ରହିଥିବାରୁ ବିଶେଷକରି ଦକ୍ଷିଣ ଓ ଉପକୂଳ ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବା ଆବଶ୍ୟକ।

You may also like

Leave a Comment