କୋଟିଆ ପ୍ରସଙ୍ଗରେ ଆଉ ଚୁପ୍ ବସିବେନି ରାଜ୍ୟ ସରକାର!
କୋଟିଆ ବିବାଦକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏନେଇ ସ୍ପଷ୍ଟ ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କୋଟିଆରେ ଆନ୍ଧ୍ର ପକ୍ଷରୁ କରାଯାଉଥିବା ନିର୍ବାଚନକୁ ଏଥର ଓଡ଼ିଶା ଦୃଢ଼ ବିରୋଧ କରିଥିବା ସେ କହିଛନ୍ତି। ପୂର୍ବ ସରକାରଙ୍କ ଅବହେଳା କାରଣରୁ ଆଇନଗତ ଲଢ଼େଇରେ ଓଡ଼ିଶାକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି।
ଏବେ କୋଟିଆ ବିବାଦର ସମସ୍ତ ଦିଗକୁ ରାଜସ୍ୱ ବିଭାଗ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରିବ। ଆବଶ୍ୟକ ବିଚାରବିମର୍ଶ ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ବାତ୍ୟା ଓ ବନ୍ୟା ଯୋଗୁଁ ଏହି ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ କୋଟିଆ ପ୍ରସଙ୍ଗକୁ ସରକାର ଆଦୌ ହାଲୁକା ଭାବେ ନେଉନାହାନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସଚେତନ ଥିବା ଆଇନ ମନ୍ତ୍ରୀ କହିଛନ୍ତି।
କୋଟିଆରୁ ମାତ୍ର ୧୦ ପ୍ରତିଶତ ମତଦାନ!
ଅନ୍ୟପଟେ କୋଟିଆରେ ଆନ୍ଧ୍ର ନିର୍ବାଚନର ମତଦାନ ହାରକୁ ନେଇ ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ। ଆନ୍ଧ୍ର ପକ୍ଷରୁ ପ୍ରକାଶିତ ମତଦାନ ତଥ୍ୟକୁ ସେ ସନ୍ଦେହଜନକ ବୋଲି କହିଛନ୍ତି। କାରଣ ଅନେକ ମତଦାନ କେନ୍ଦ୍ରରେ ଓଡ଼ିଶା ଓ ଆନ୍ଧ୍ରର ଏକାଧିକ ଗାଁକୁ ଏକାଠି କରି ଭୋଟ୍ ଗ୍ରହଣ କରାଯାଇଛି। ଫଳରେ କେଉଁ ଅଞ୍ଚଳରୁ ପ୍ରକୃତରେ କେତେ ମତଦାନ ହୋଇଛି, ତାହାର ସଠିକ୍ ତଥ୍ୟ ଜାଣିବା କଷ୍ଟକର।
ଜିଲ୍ଲାପାଳଙ୍କ ଆକଳନ ଅନୁସାରେ, କୋଟିଆ ଅଞ୍ଚଳରୁ ସର୍ବାଧିକ ୧୦ ପ୍ରତିଶତ ମତଦାନ ହୋଇଥାଇପାରେ। ୨୦୨୧ ମସିହାରେ ଏହି ହାର ୧୩ରୁ ୧୬ ପ୍ରତିଶତ ମଧ୍ୟରେ ରହିଥିବା ବେଳେ ଚଳିତଥର ଏହା ଆହୁରି କମିଥିବା ସେ କହିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋଟିଆରେ ଆନ୍ଧ୍ର ନିର୍ବାଚନ ପାଇଁ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେବାରୁ ଲୋକଙ୍କୁ ରୋକିବା ଦିଗରେ ଓଡ଼ିଶା ପ୍ରଶାସନ ଶତ ପ୍ରତିଶତ ସଫଳ ହୋଇଥିବା ଜିଲ୍ଲାପାଳ ଦାବି କରିଛନ୍ତି।
ଏବେ କୋଟିଆକୁ ନେଇ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ଆଇନଗତ ପଦକ୍ଷେପ କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର।
