ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଗୁରୁବାର ଏକ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ସେ ସିଧାସଳଖ ଓୟୁଏଟି (OUAT) ଅଭିମୁଖେ ଯାଇଥିଲେ।
ଓୟୁଏଟିର କୃଷି ଶିକ୍ଷା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଓଡ଼ିଶା ଡିପ୍ ସି ଫିସିଂ ମିଶନ୍ର ଶୁଭାରମ୍ଭ କରିବେ। ଏହାସହ ସେ ମତ୍ସ୍ୟଜୀବୀ, ମାଛଧରା ଜାହାଜ ମାଲିକ, ମତ୍ସ୍ୟ ସମବାୟ ସମିତି ଓ ନ୍ୟାସନାଲ କୋ-ଅପରେଟିଭ୍ ଏକ୍ସପୋର୍ଟସ୍ ଲିମିଟେଡ୍କୁ ମାଛଧରା ଅନୁମତି ପ୍ରମାଣପତ୍ର ବଣ୍ଟନ କରିବେ।
ଏହି ମିଶନ୍ର ଲକ୍ଷ୍ୟ ହେଉଛି ସମୁଦ୍ରର ମତ୍ସ୍ୟ ସମ୍ପଦର ସଠିକ୍ ବ୍ୟବହାର କରିବା, ମତ୍ସ୍ୟଜୀବୀଙ୍କ ଆୟ ବଢ଼ାଇବା ଏବଂ ରାଜ୍ୟର ବ୍ଲୁ ଇକୋନୋମିକୁ ମଜବୁତ କରିବା।
ବର୍ତ୍ତମାନ ମତ୍ସ୍ୟଜୀବୀମାନେ ସମୁଦ୍ର କୂଳଠାରୁ ପ୍ରାୟ ୧୨ ନଟିକାଲ ମାଇଲ୍ ପର୍ଯ୍ୟନ୍ତ ମାଛ ଧରିପାରୁଛନ୍ତି। କିନ୍ତୁ ଏହି ମିଶନ୍ ଆରମ୍ଭ ହେବା ପରେ ଯୋଗ୍ୟ ମତ୍ସ୍ୟଜୀବୀମାନେ ଭାରତର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (EEZ) ଅର୍ଥାତ୍ ୨୦୦ ନଟିକାଲ ମାଇଲ୍ ପର୍ଯ୍ୟନ୍ତ ମାଛ ଧରିପାରିବେ। ନିୟମ ଅନୁଯାୟୀ ସେମାନଙ୍କୁ ଆନ୍ତର୍ଜାତୀୟ ସମୁଦ୍ର ଅଞ୍ଚଳରେ ମଧ୍ୟ ମାଛ ଧରିବାର ସୁଯୋଗ ମିଳିବ।
ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କୁ ଆଧୁନିକ ମାଛଧରା ଉପକରଣ, ପ୍ରଶିକ୍ଷଣ, ଉନ୍ନତ ମତ୍ସ୍ୟ ପରିଚାଳନା ଓ ବଜାର ସଂଯୋଗ ଯୋଗାଇବେ। ଏହାଦ୍ୱାରା ସାମୁଦ୍ରିକ ମାଛ ଉତ୍ପାଦନ ବଢ଼ିବା ସହ ସାମୁଦ୍ରିକ ଖାଦ୍ୟ ରପ୍ତାନି ମଧ୍ୟ ବୃଦ୍ଧି ପାଇବ ବୋଲି ସରକାର ଆଶା କରୁଛନ୍ତି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡଃ ହରି ବାବୁ କମ୍ଭମ୍ପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଡେରି ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁକାନ୍ତ ପାଣିଗ୍ରାହୀ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଉପସ୍ଥିତ ରହିବେ।
୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଓଡ଼ିଶା ଡିପ୍ ସି ଫିସିଂ ମିଶନ୍ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ। ଏହା ମାଧ୍ୟମରେ ଟୁନା, ମାର୍ଲିନ୍, ସ୍ୱୋର୍ଡଫିଶ୍, ସ୍କୁଇଡ୍ ଓ ଡିପ୍ ସି ପ୍ରନ୍ ପରି ଉଚ୍ଚମୂଲ୍ୟର ସାମୁଦ୍ରିକ ମାଛ ଧରାକୁ ପ୍ରୋତ୍ସାହନ ଦିଆଯିବ।
ଓଡ଼ିଶାର ୫୭୫ କିଲୋମିଟର ଲମ୍ବା ସମୁଦ୍ର ଉପକୂଳରେ ପ୍ରାୟ ୫ ଲକ୍ଷ ମତ୍ସ୍ୟଜୀବୀ ବସବାସ କରୁଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୨.୪ ଲକ୍ଷ ମେଟ୍ରିକ୍ ଟନ୍ ସାମୁଦ୍ରିକ ମାଛ ଉତ୍ପାଦନ ହୋଇଥିଲା। ନୂଆ ମିଶନ୍ ଦ୍ୱାରା ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ସହ ରାଜ୍ୟର ଅର୍ଥନୀତିକୁ ମଧ୍ୟ ବଡ଼ ଶକ୍ତି ମିଳିବ ବୋଲି ଆଶା କରାଯାଉଛି।
