NEET-UG 2026 ରି-ଏଗ୍ଜାମ ପୂର୍ବରୁ ମେସେଜିଂ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାର ଲଗାଇଥିବା ଅସ୍ଥାୟୀ କଟକଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଟେଲିଗ୍ରାମ ପକ୍ଷରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି। ବୁଧବାର ଏହି ମାମଲାର ଶୁଣାଣି ହେବାକୁ ଯାଉଛି।
ଟେଲିଗ୍ରାମ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଉଲ୍ଲେଖ ଜଷ୍ଟିସ ତେଜସ କରିଆଙ୍କ ଅଦାଲତରେ କରାଯାଇଥିଲା। ଏହାପରେ ସେ ବୁଧବାର ହିଁ ମାମଲାର ଶୁଣାଣି ପାଇଁ ସହମତି ପ୍ରକାଶ କରିଥିଲେ। ଟେଲିଗ୍ରାମର ଯୁକ୍ତି ହେଉଛି ଯେ, ସମଗ୍ର ପ୍ଲାଟଫର୍ମ ଉପରେ ଅସ୍ଥାୟୀ କଟକଣା ଲଗାଇବା ଯୁକ୍ତିଯୁକ୍ତ ନୁହେଁ।
କେନ୍ଦ୍ର ସରକାର ଜାତୀୟ ପରୀକ୍ଷା ଏଜେନ୍ସି (NTA)ର ସୁପାରିଶ କ୍ରମେ ଟେଲିଗ୍ରାମ ଉପରେ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ଅସ୍ଥାୟୀ କଟକଣା ଜାରି କରିଛନ୍ତି। ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET-UG ରି-ଏଗ୍ଜାମ ଏବଂ ତା’ ପରବର୍ତ୍ତୀ ସମୟକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ସରକାରଙ୍କ କହିବା ଅନୁସାରେ, ପରୀକ୍ଷା ସମୟରେ ନକଲ, ଭୁଆ ପ୍ରଶ୍ନପତ୍ର ଲିକ୍ ଦାବି ଏବଂ ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସୋସିଆଲ ମିଡିଆରେ ଭ୍ରମାତ୍ମକ ତଥ୍ୟ ଓ ଗୁଜବ ପ୍ରଚାରକୁ ରୋକିବା ମଧ୍ୟ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ସୂଚନା ପ୍ରଯୁକ୍ତି ଆଇନ ୨୦୦୦ର ଧାରା 69A ଅନୁଯାୟୀ ଏହି ଆଦେଶ ଜାରି କରିଛି। NTA ଏବଂ ଉଚ୍ଚ ଶିକ୍ଷା ବିଭାଗର ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ମେ ୩ ତାରିଖରେ ଅନୁଷ୍ଠିତ NEET-UG ପରୀକ୍ଷାରେ ଅନିୟମିତତା ଓ ଗଡ଼ବଡ଼ି ଅଭିଯୋଗ ଆସିବା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏହା ପରେ ଜୁନ୍ ୨୧ ତାରିଖରେ ପୁନଃ ପରୀକ୍ଷା କରିବାକୁ NTA ନିଷ୍ପତ୍ତି ନେଇଥିଲା।
ଏବେ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ କ’ଣ ରାୟ ଦେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ମାମଲା ପରୀକ୍ଷାର ସୁରକ୍ଷା ଏବଂ ଡିଜିଟାଲ ପ୍ଲାଟଫର୍ମର ସ୍ୱାଧୀନତା ମଧ୍ୟରେ ସନ୍ତୁଳନ ରକ୍ଷା ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।
