Home Nationalଗାଁରେ ମିଳିବ ସହରୀ ଶିକ୍ଷା! ‘ସମର୍ଥ ଯୁବ’ରେ ବଦଳୁଛି ପାଠପଢ଼ାର ଚିତ୍ର

ଗାଁରେ ମିଳିବ ସହରୀ ଶିକ୍ଷା! ‘ସମର୍ଥ ଯୁବ’ରେ ବଦଳୁଛି ପାଠପଢ଼ାର ଚିତ୍ର

by Akshay Maharana
0 comments

କୋଚିଂ ହବ୍‌କୁ ଯିବାକୁ ପଡ଼ିବନି; ରାଜସ୍ଥାନର ବାରାନ୍‌ର ୧୧ ସରକାରୀ ସ୍କୁଲରେ ଆରମ୍ଭ ହେଲା ସ୍ମାର୍ଟ ଲର୍ଣ୍ଣିଂ, ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ସହର ଭଳି ଉନ୍ନତ ଶିକ୍ଷା ଓ ପ୍ରତିଯୋଗିତାମୂଳକ ପ୍ରସ୍ତୁତିର ସୁଯୋଗ ଦେବା ଲକ୍ଷ୍ୟରେ ରାଜସ୍ଥାନର ବାରାନ୍‌ ଜିଲ୍ଲାରେ ଆରମ୍ଭ ହୋଇଛି ଏକ ଅଭିନବ ପଦକ୍ଷେପ। ଜିଲ୍ଲା ପ୍ରଶାସନ ଓ NTPCର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ‘ମିଶନ ସମର୍ଥ୍ୟ-ସମର୍ଥ ଯୁବ’ କାର୍ଯ୍ୟକ୍ରମ ଅଧୀନରେ ଦୁର୍ଗମ ଅଞ୍ଚଳର ସରକାରୀ ସ୍କୁଲଗୁଡ଼ିକୁ ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟରରେ ପରିଣତ କରାଯାଉଛି।

କୋଚିଂ ପାଇଁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ବଡ଼ ସହରକୁ ଯିବାକୁ ନପଡ଼ିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ବାରାନ୍‌ ଜିଲ୍ଲାର ସମସ୍ତ ୮ଟି ବ୍ଲକ୍‌ରୁ ୧୨ଟି ସିନିୟର ସେକେଣ୍ଡାରୀ ସ୍କୁଲ୍‌କୁ ‘ସମର୍ଥ କେନ୍ଦ୍ର’ ଭାବେ ବିକଶିତ କରିବାକୁ ଚୟନ କରାଯାଇଛି। ଏଥିରୁ ୧୧ଟି କେନ୍ଦ୍ର ଏବେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଅଗଷ୍ଟ ୧୫ରୁ ଏଠାରେ ନିୟମିତ ଇଣ୍ଟରଆକ୍ଟିଭ୍‌ ଶିକ୍ଷାଦାନ ଆରମ୍ଭ ହୋଇଛି।

ଜିଲ୍ଲାପାଳ ବାଲମୁକୁନ୍ଦ ଅସାୱାଙ୍କ ନେତୃତ୍ୱରେ ଚାଲିଥିବା ଏହି ପଦକ୍ଷେପରେ ଏକ କେନ୍ଦ୍ରୀୟ କଣ୍ଟ୍ରୋଲ୍‌ ରୁମ୍‌ ସ୍ଥାପନ କରାଯାଇଛି। ଏଠାରୁ ଶିକ୍ଷକମାନେ ଲାଇଭ୍‌ ଲେକ୍ଚର ଦେଉଛନ୍ତି ଏବଂ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ ସଂଯୁକ୍ତ ସ୍କୁଲ୍‌ର ଛାତ୍ରଛାତ୍ରୀ ଏକାସାଙ୍ଗରେ ପାଠ ପଢ଼ୁଛନ୍ତି।

NTPC ଏହି ପ୍ରକଳ୍ପକୁ CSR ଅଧୀନରେ ସହଯୋଗ କରିଛି। ସ୍କୁଲ୍‌ଗୁଡ଼ିକରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌, ନିରବିଚ୍ଛିନ୍ନ ବିଦ୍ୟୁତ୍‌ ବ୍ୟବସ୍ଥା, ଲିଜ୍‌ ଲାଇନ୍‌ ଓ ଭିଡିଓ କନ୍‌ଫରେନ୍ସିଂ ସୁବିଧା ସ୍ଥାପନ କରାଯାଇଛି। ଫଳରେ ଗଣିତ ଓ ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷକ ଅଭାବ ଥିଲେ ମଧ୍ୟ ଏକ ସ୍ଥାନରୁ ଏକାଧିକ ସ୍କୁଲ୍‌କୁ ଲାଇଭ୍‌ ଶିକ୍ଷା ଦିଆଯାଉଛି।

ପାଠ୍ୟକ୍ରମ ସହ ଜେନେରାଲ୍‌ ଷ୍ଟଡିଜ୍‌, ଇଂରାଜୀ କଥାବାର୍ତ୍ତା, ଇଂରାଜୀ ବ୍ୟାକରଣ ଓ କ୍ୟାରିୟର କାଉନ୍‌ସେଲିଂକୁ ମଧ୍ୟ ସାମିଲ କରାଯାଇଛି। ବର୍ତ୍ତମାନ ୧୧ଟି କେନ୍ଦ୍ରରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ପ୍ରତ୍ୟେକ ସ୍କୁଲ୍‌ରେ ଅତିକମରେ ୨୫ ଜଣ ଛାତ୍ରଙ୍କ ବ୍ୟାଚ୍‌ ରଖିବା ଲକ୍ଷ୍ୟ ରହିଛି।

ପ୍ରତିଦିନ ଦୁଇଟି ୪୫ ମିନିଟ୍‌ର ଶିକ୍ଷାଦାନ ସେସନ୍‌ ହେଉଥିବା ବେଳେ ଆବଶ୍ୟକତା ଅନୁସାରେ ଅତିରିକ୍ତ କ୍ଲାସ୍‌ ମଧ୍ୟ କରାଯାଉଛି। ବିଶେଷକରି ୧୦ମରୁ ୧୨ଶ ଶ୍ରେଣୀର ଛାତ୍ରୀମାନଙ୍କୁ ସମାନ ଶିକ୍ଷା ଓ ପ୍ରତିଯୋଗିତାମୂଳକ ପ୍ରସ୍ତୁତିର ସୁଯୋଗ ଦେବା ଉପରେ ଜୋର ଦିଆଯାଇଛି।

ଉଚ୍ଚଶିକ୍ଷା, ଚାକିରିର ସୁଯୋଗ ଓ ବୃତ୍ତିଗତ ପ୍ରଶିକ୍ଷଣ ସମ୍ପର୍କିତ ମାର୍ଗଦର୍ଶନ ମଧ୍ୟ ଦୈନିକ କାର୍ଯ୍ୟକ୍ରମର ଅଂଶ ହୋଇଛି। ଏହି ପଦକ୍ଷେପ ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ ନିଜ ଅଞ୍ଚଳରେ ରହି ଗୁଣାତ୍ମକ ଶିକ୍ଷା ଓ ଭବିଷ୍ୟତ କ୍ୟାରିୟର ପାଇଁ ପ୍ରସ୍ତୁତ ହେବାର ନୂଆ ରାସ୍ତା ଖୋଲିଛି।

You may also like

Leave a Comment