ଦେଶର ପ୍ରମୁଖ ୩୦ଟି କ୍ରୀଡ଼ା ସଂଗଠନକୁ ୨୦୨୬ ବର୍ଷ ପାଇଁ ନ୍ୟାସନାଲ ସ୍ପୋର୍ଟସ ଫେଡେରେସନ୍ (NSF) ଭାବେ ସ୍ୱୀକୃତି ମିଳିଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଏହି ସଂଘଗୁଡ଼ିକର ନାମ ସ୍ଥାନ ପାଇଛି। ମାନ୍ୟତାପ୍ରାପ୍ତ ସଂଗଠନଗୁଡ଼ିକ ନିର୍ଦ୍ଧାରିତ NSF ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବେ। ଏହି ତାଲିକାରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ, ଖୋଖୋ ଫେଡେରେସନ୍ ଅଫ୍ ଇଣ୍ଡିଆ, ଜୁଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ, ନ୍ୟାସନାଲ ରାଇଫଲ ଆସୋସିଏସନ୍ ଅଫ୍ ଇଣ୍ଡିଆ, ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆ, ବାସ୍କେଟବଲ ଫେଡେରେସନ୍ ଅଫ୍ ଇଣ୍ଡିଆ, ସୁଇମିଂ ଫେଡେରେସନ୍ ଅଫ୍ ଇଣ୍ଡିଆ, ହକି ଇଣ୍ଡିଆ, ରୋଇଂ ଫେଡେରେସନ୍ ଅଫ୍ ଇଣ୍ଡିଆ, ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ଓ ସ୍କ୍ୱାସ୍ ରାକେଟ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଭଳି ବିଭିନ୍ନ ସଂସ୍ଥା ରହିଛନ୍ତି।
ଏହାବ୍ୟତୀତ ସଫ୍ଟବଲ, ନେଟବଲ, ଟ୍ରାଏଥଲନ, ରଗ୍ବି, ପୋଲୋ, ଫେନ୍ସିଂ, ସର୍ଫିଂ, ୟାଚିଂ, ବିଲିୟାର୍ଡ୍ସ ଓ ସ୍ନୁକର, ବ୍ରିଜ୍, କାନୋଇଂ ଓ କାଇକିଂ ଭଳି ଅନେକ କ୍ରୀଡ଼ାର ଜାତୀୟ ସଂଗଠନ ମଧ୍ୟ ଏହି ମାନ୍ୟତା ତାଲିକାରେ ସାମିଲ ହୋଇଛନ୍ତି। ଦିବ୍ୟାଙ୍ଗ କ୍ରୀଡ଼ା ଓ ସ୍ପେସାଲ ଅଲିମ୍ପିକ୍ସ ସହ ଜଡିତ ସଂଗଠନକୁ ମଧ୍ୟ ସ୍ୱୀକୃତି ଦିଆଯାଇଛି। ତେବେ ଏହି ତାଲିକା ସାମ୍ନାକୁ ଆସିବା ପରେ କ୍ରିକେଟ୍କୁ ନେଇ ଏକ ବଡ଼ ପ୍ରଶ୍ନ ଉଠିଛି। ଭାରତୀୟ କ୍ରିକେଟ୍ର ସର୍ବୋଚ୍ଚ ପରିଚାଳନା ସଂସ୍ଥା BCCI ଏହି NSF ମାନ୍ୟତାପ୍ରାପ୍ତ ସଂଗଠନଗୁଡ଼ିକର ତାଲିକାରେ ନାହିଁ। ରାଜ୍ୟସ୍ତରୀୟ କ୍ରିକେଟ୍ ସଂଘଗୁଡ଼ିକୁ ନେଇ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଛି।
BCCI ଓ କ୍ରୀଡ଼ା ସଂଗଠନଗୁଡ଼ିକ ସମ୍ପର୍କିତ ନିୟମ, ସ୍ୱୀକୃତି ଓ ପରିଚାଳନାକୁ ନେଇ ଆଇନଗତ ବିବାଦ ମଧ୍ୟ ରହିଛି। ଏହି ସମ୍ପର୍କିତ ଅନେକ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ, NSF ମାନ୍ୟତାର ନୂଆ ତାଲିକା ପରେ କ୍ରିକେଟ୍ ପରିଚାଳନାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି।
