Home Uncategorizedଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ IAS ଅଧିକାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ

ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ IAS ଅଧିକାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ

by Lokanath Panigrahi
0 comments

ଜୁଲାଇ ୫ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା

ଭୁବନେଶ୍ୱର, ୩ ଜୁଲାଇ: ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ (Electoral Roll Observer) ଭାବେ ନିଯୁକ୍ତ କରିଛନ୍ତି। ଏହି ସଂଶୋଧନ ପାଇଁ ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି।

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ପର୍ଯ୍ୟବେକ୍ଷକଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସେମାନେ ସଂଶୋଧନ ଅବଧି ମଧ୍ୟରେ ଅତି କମରେ ତିନିଥର ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲା ଗସ୍ତ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ।

ପର୍ଯ୍ୟବେକ୍ଷକମାନେ କେବଳ ଜିଲ୍ଲା ମୁଖ୍ୟାଳୟରେ ସୀମିତ ନ ରହି ବିଭିନ୍ନ ବିଧାନସଭା ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରିବେ। ଗସ୍ତ ସମୟରେ ସେମାନେ ସାଂସଦ, ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ କରି ଅଭିଯୋଗ ଓ ପ୍ରସ୍ତାବ ଶୁଣିବା ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସହଯୋଗ ଲୋଡ଼ିବେ। ସାଧାରଣ ଲୋକମାନେ ମଧ୍ୟ ନିଜ ଅଭିଯୋଗ ଓ ସମସ୍ୟା ନେଇ ପର୍ଯ୍ୟବେକ୍ଷକଙ୍କୁ ସିଧାସଳଖ ଭେଟିପାରିବେ।

ଯେଉଁ ବିଧାନସଭା ମଣ୍ଡଳୀରେ ଭୋଟରଙ୍କ ନାମ ବାଦ୍ କିମ୍ବା ନୂଆ ନାମ ସଂଯୋଗ ହାର ସାଧାରଣ ହାରଠାରୁ ଅଧିକ ହେବ, ସେଠାରେ ପର୍ଯ୍ୟବେକ୍ଷକମାନେ ବ୍ୟକ୍ତିଗତ ଭାବେ ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ କରିବେ। କ୍ଷେତ୍ର ପରିଦର୍ଶନ ପରେ ସେମାନେ ବିସ୍ତୃତ ରିପୋର୍ଟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ, ଯାହାଦ୍ୱାରା କୌଣସି ଯୋଗ୍ୟ ଭୋଟର ବାଦ୍ ନପଡ଼ନ୍ତୁ ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ତାଲିକାରେ ସାମିଲ ନ ହୁଅନ୍ତୁ ବୋଲି ସୁନିଶ୍ଚିତ କରାଯିବ।

ଏପରିକି, ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅନ୍ତର୍ଗତ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବା ପରେ ଆସନ୍ତା ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ।

ଚିଠା ଭୋଟର ତାଲିକା ପ୍ରକାଶ ପରେ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆପତ୍ତି ଓ ଦାବି ଦାଖଲ କରାଯାଇପାରିବ। ନୂତନ ଭୋଟରଙ୍କ ନାମ ସଂଯୋଗ ପାଇଁ ଫର୍ମ-୬, ନାମ ବାଦ୍ ପାଇଁ ଫର୍ମ-୭ ଏବଂ ଭୋଟର ତାଲିକାରେ ସଂଶୋଧନ ପାଇଁ ଫର୍ମ-୮ ବ୍ୟବହାର କରାଯିବ।

ଏହି ପ୍ରକ୍ରିୟା ମାଧ୍ୟମରେ ଓଡ଼ିଶାର ଭୋଟର ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଓ ସ୍ୱଚ୍ଛ କରିବାକୁ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି।

You may also like

Leave a Comment