Home Odisha୨୦୨୬-୨୭ ପାଇଁ କୃଷି ବିଭାଗର ୪ ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷର; କୃଷି ବିକାଶକୁ ମିଳିବ ନୂଆ ଗତି

୨୦୨୬-୨୭ ପାଇଁ କୃଷି ବିଭାଗର ୪ ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷର; କୃଷି ବିକାଶକୁ ମିଳିବ ନୂଆ ଗତି

by Lokanath Panigrahi
0 comments

ଭୁବନେଶ୍ୱର, ୩ ଜୁଲାଇ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବିଭାଗ ଅଧୀନସ୍ଥ ଚାରିଟି ନିଗମ ସହ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରାଯାଇଛି। ଏଥିରେ ଓଡ଼ିଶା କୃଷି ଶିଳ୍ପ ନିଗମ (OAIC), ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ (APICOL), ଓଡ଼ିଶା ରାଜ୍ୟ ବିହନ ନିଗମ (OSSC) ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ (OSCDCL) ସାମିଲ ଅଛନ୍ତି।

ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। କୃଷି ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବଙ୍କ ଉପସ୍ଥିତିରେ ନିଗମଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଏବଂ ବିଭାଗୀୟ ପ୍ରତିନିଧିମାନେ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର କୃଷି ଏବଂ କୃଷକଙ୍କ ସାମଗ୍ରିକ ବିକାଶ ପାଇଁ ବିଭାଗ ଓ ନିଗମଗୁଡ଼ିକ ମଧ୍ୟରେ ସମନ୍ୱୟ ଆହୁରି ସୁଦୃଢ଼ ହେବା ଆବଶ୍ୟକ। ସେ ପୂର୍ବବର୍ଷର କାର୍ଯ୍ୟଦକ୍ଷତା ସମୀକ୍ଷା କରିବା ସହ ଚଳିତ ବର୍ଷର ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଦେଇଥିଲେ।

OAIC ପାଇଁ ୧,୨୦୦ କୋଟି ଟଙ୍କାର ଟର୍ଣ୍ଣଓଭର ଲକ୍ଷ୍ୟ

ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା କୃଷି ଶିଳ୍ପ ନିଗମ (OAIC) ୫୪ ହଜାର ଟନ୍ ସାର, ୮,୪୦୦ ଟ୍ରାକ୍ଟର ଓ ୧,୨୦୦ ପାୱାର୍ ଟିଲର୍ ସମେତ ବିଭିନ୍ନ କୃଷି ଯନ୍ତ୍ରପାତି ଯୋଗାଇବାକୁ ଲକ୍ଷ୍ୟ ରଖିଛି। ସେହିପରି ‘ଜଳନିଧି’ ଯୋଜନାରେ ୬,୨୪୦ଟି ବିଦ୍ୟୁତଚାଳିତ ଉଠା ଜଳସେଚନ ପଏଣ୍ଟ ଏବଂ ୧,୨୦୦ଟି ସାଲୋ ଟ୍ୟୁବୱେଲ୍ ସ୍ଥାପନ ସହ ପ୍ରାୟ ୨୪ କୋଟି ଟଙ୍କାର ଉଦ୍ୟାନ କୃଷି ସାମଗ୍ରୀ ବିକ୍ରି କରିବାକୁ ଯୋଜନା ରହିଛି। ଏହି ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ୧,୨୦୦ କୋଟି ଟଙ୍କାର କାରବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ନିଗମକୁ ଅତ୍ୟାଧୁନିକ ପ୍ରଯୁକ୍ତିର ଅଧିକ ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

APICOL ଜରିଆରେ ୧,୬୫୯ କୃଷି ଉଦ୍ୟୋଗ ସ୍ଥାପନ ଲକ୍ଷ୍ୟ

ଆପିକଲ୍ (APICOL) ପକ୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷରେ ୧,୬୫୯ଟି କୃଷିଭିତ୍ତିକ ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ପାଇଁ ୩୩୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସହାୟତା ଦିଆଯିବ। ଏଥିରୁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ପାଇଁ ୩୦୦ କୋଟି ଏବଂ ଶୀତଳ ଭଣ୍ଡାର ପାଇଁ ୩୦ କୋଟି ଟଙ୍କା ବ୍ୟୟ କରାଯିବ। ଜିଲ୍ଲାସ୍ତରରୁ ଅଧିକ ସଂଖ୍ୟକ ପ୍ରସ୍ତାବ ଆଣିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କାଜୁ ଚାଷ ଓ ବ୍ରାଣ୍ଡିଂକୁ ପ୍ରାଧାନ୍ୟ

ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ (OSCDCL) ଚଳିତ ବର୍ଷ ୫୦୦ ହେକ୍ଟର ଜମିରେ ହାଇବ୍ରିଡ୍ କାଜୁର ପୁନଃରୋପଣ କରିବା ସହ ପୂର୍ବରୁ ବିକଶିତ ୭୬୧.୨୨ ହେକ୍ଟର କାଜୁ ବଗିଚାର ତୃତୀୟ ଓ ଚତୁର୍ଥ ବର୍ଷର ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ। କାଜୁ ଉତ୍ପାଦର ବ୍ରାଣ୍ଡିଂ ଏବଂ ବଜାରକରଣ ଉପରେ ଅଧିକ ଧ୍ୟାନ ଦେବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବିହନ ଉତ୍ପାଦନ ଓ ଜଳବାୟୁ-ସହନଶୀଳ କିସମ ଉପରେ ଫୋକସ୍

ଓଡ଼ିଶା ରାଜ୍ୟ ବିହନ ନିଗମ (OSSC) ସହ ସ୍ୱାକ୍ଷରିତ ବୁଝାମଣା ପତ୍ର ଅନୁଯାୟୀ, ରାଜ୍ୟରେ ବିହନ ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ଅଧିକ ଅମଳକ୍ଷମ ଓ ଜଳବାୟୁ-ସହନଶୀଳ ବିହନ କିସମର ପ୍ରସାର ସହ ସରକାରୀ ଅଧିକାରୀ ଏବଂ ବିହନ ଚାଷୀଙ୍କ ପାଇଁ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସ୍ୱଳ୍ପ ଅବଧିର ଫସଲ ବିହନ ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

You may also like

Leave a Comment