Home Uncategorizedଝରାଫୁଲ ହତ୍ୟା ମାମଲାରେ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶଙ୍କୁ ଆଜୀବନ କାରାଦଣ୍ଡ

ଝରାଫୁଲ ହତ୍ୟା ମାମଲାରେ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶଙ୍କୁ ଆଜୀବନ କାରାଦଣ୍ଡ

by Gulshan Pandey
0 comments

ବହୁ ଚର୍ଚ୍ଚିତ ଝରାଫୁଲ ନାୟକ ହତ୍ୟା ମାମଲାରେ ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ରାୟ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳର ରାକେଶ କୁମାର ସ୍ୱାଇଁଙ୍କୁ ଅଦାଲତ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏହାସହ ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗୁ କରାଯାଇଛି। ଜରିମାନା ଅନାଦେୟ ହେଲେ ତାଙ୍କୁ ଅତିରିକ୍ତ ୧୨ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ମାମଲାର ବିଚାରଣା ସମୟରେ ୨୨ ଜଣ ସାକ୍ଷୀଙ୍କ ବୟାନ ଓ ଉପସ୍ଥାପିତ ପ୍ରମାଣକୁ ଆଧାର କରି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଏହି ରାୟ ଶୁଣାଇଛନ୍ତି।

ସେହିପରି, ଘଟଣାରେ ସହଯୋଗୀ ଅଭିଯୁକ୍ତ ଅମରେଶ ରାଉତଙ୍କୁ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୫ ବର୍ଷର କାରାଦଣ୍ଡ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୧ ମସିହାରେ ଯାଜପୁର ଜିଲ୍ଲାର କୁଆଖିଆ ଅଞ୍ଚଳର ବାସିନ୍ଦା ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଗଜପତି ଜିଲ୍ଲାରେ ଏକ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିଲା। ତଦନ୍ତରେ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ପୋଲିସ ରାକେଶ କୁମାର ସ୍ୱାଇଁ ଓ ଅମରେଶ ରାଉତଙ୍କୁ ଗିରଫ କରିଥିଲା। ଏହି ହତ୍ୟାକାଣ୍ଡ ସେତେବେଳେ ସମଗ୍ର ରାଜ୍ୟରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଥିଲା।

You may also like

Leave a Comment