Home Uncategorizedରତ୍ନଭଣ୍ଡାର ଗଣତି ରିପୋର୍ଟ ସାର୍ବଜନୀନ ହେବନି: ଆଇନମନ୍ତ୍ରୀ

ରତ୍ନଭଣ୍ଡାର ଗଣତି ରିପୋର୍ଟ ସାର୍ବଜନୀନ ହେବନି: ଆଇନମନ୍ତ୍ରୀ

by Lokanath Panigrahi
0 comments

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ରତ୍ନର ଗଣତି ମଣତି ପ୍ରକ୍ରିୟା ଜାରି ରହିଛି। ତେବେ ଏହି ପ୍ରକ୍ରିୟା ଶେଷ ହେବା ପରେ ପ୍ରସ୍ତୁତ ହେବାକୁ ଥିବା ସମ୍ପୂର୍ଣ୍ଣ ତାଲିକାକୁ ସାର୍ବଜନୀନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ପୁରୀ ଗସ୍ତ ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାରରେ ରହିଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ମୂଲ୍ୟବାନ ରତ୍ନ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ। ଏହାକୁ ସାଧାରଣ ପ୍ରଚାର କିମ୍ବା ସୋସିଆଲ ମିଡିଆ କଣ୍ଟେଣ୍ଟ ଭଳି ଦେଖାଯାଇପାରିବ ନାହିଁ। ରତ୍ନଭଣ୍ଡାର ସମ୍ପର୍କିତ କାର୍ଯ୍ୟ ନିର୍ଦ୍ଧାରିତ ପରମ୍ପରା ଓ ନିୟମ ଅନୁସାରେ ଗୋପନୀୟତା ବଜାୟ ରଖି କରାଯାଉଛି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୧୯୭୮ରେ ପ୍ରସ୍ତୁତ ହୋଇଥିବା ତାଲିକାକୁ ଆଧାର କରି ବର୍ତ୍ତମାନର ଗଣତି ମଣତି କାର୍ଯ୍ୟ ଆଗକୁ ବଢ଼ୁଛି। ପ୍ରତ୍ୟେକ ଅଳଙ୍କାରର ଥ୍ରିଡି ମ୍ୟାପିଂ ସହ ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯାଉଛି। ସମସ୍ତ ପ୍ରକ୍ରିୟା ସରିବା ପରେ ତଥ୍ୟକୁ ନେଇ ଏକ ତାଲିକା ପ୍ରସ୍ତୁତ ହେବ।

ତେବେ ଏହି ତାଲିକାକୁ ପବ୍ଲିକ୍ ଡୋମେନ୍‌ରେ ପ୍ରକାଶ କରାଯିବ ନାହିଁ। ଦୁର୍ଗାପୂଜା ପରେ ପୁଣି ଥରେ ଦୀର୍ଘ ସମୟ ଧରି ଗଣତି ମଣତି କରାଯିବ। ଆସନ୍ତା ମାର୍ଗଶିର ମାସ ସୁଦ୍ଧା ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାର ଲକ୍ଷ୍ୟ ରହିଥିବା ମନ୍ତ୍ରୀ କହିଛନ୍ତି।

ଶୀଘ୍ର ଶେଷ ହେବ ପାଇଲଟ୍ ରାମ୍ପ କାମ

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଆଗାମୀ ୭ରୁ ୮ ଦିନ ମଧ୍ୟରେ ପାଇଲଟ୍ ରାମ୍ପର ନିର୍ମାଣ କାମ ଶେଷ ହେବ ବୋଲି ସେ କହିଛନ୍ତି।

IIT ଭୁବନେଶ୍ୱର ପକ୍ଷରୁ ପ୍ରସ୍ତାବିତ ରାମ୍ପ ଡିଜାଇନ୍‌ର ସମୀକ୍ଷା କରାଯାଇଛି। ଏହି ଫୋଲ୍ଡିଂ ରାମ୍ପକୁ ପ୍ରାୟ ୫ ମିନିଟ୍‌ରେ ଖୋଲିବା ଓ ବନ୍ଦ କରିବା ସମ୍ଭବ ହେବ। ପ୍ରଥମେ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ରାମ୍ପକୁ ଦେଖିବେ। ସେମାନଙ୍କ ମତାମତ ଆଧାରରେ ଆବଶ୍ୟକ ପରିବର୍ତ୍ତନ କରାଯିବ।

ଅନୁମୋଦନ ମିଳିବା ପରେ ଏହାକୁ ବ୍ୟବହାରରେ ଅଣାଯିବ। ପ୍ରସ୍ତାବିତ ବ୍ୟବସ୍ଥାରେ ୬ ଥାକିଆ ରାମ୍ପ ରହିବ ଏବଂ ଆସନ୍ତା ୩ରୁ ୪ ମାସ ମଧ୍ୟରେ ଏହାର ସମ୍ପୂର୍ଣ୍ଣ ମଡେଲ୍ ପ୍ରସ୍ତୁତ କରିବା ଯୋଜନା ରହିଛି।

ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

ସେହିପରି ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ସୁବିଧା ଦେବା ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି। ବାୟୋମେଟ୍ରିକ୍ ବ୍ୟବସ୍ଥା ଜରିଆରେ ଏହାକୁ କାର୍ଯ୍ୟକାରୀ କରିବା ଯୋଜନା ରହିଛି।

ପୁରୀବାସୀ ଯେପରି ସହଜରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ଉପରେ କାମ ଚାଲିଛି। ଖୁବ୍‌ଶୀଘ୍ର ଏହି ସୁବିଧା ଆରମ୍ଭ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

You may also like

Leave a Comment