ନିଗମ ଇତିହାସରେ ସର୍ବାଧିକ ଡିଭିଡେଣ୍ଡ, କାରବାରରେ ମଧ୍ୟ ନୂଆ କୀର୍ତ୍ତିମାନ
ଭୁବନେଶ୍ୱର, ୩ ଜୁଲାଇ: ଗୃହ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ (OPHWC) ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ରାଜ୍ୟ ସରକାରଙ୍କୁ ୨୧.୨୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଏହା ନିଗମର ଇତିହାସରେ ସର୍ବାଧିକ ଲାଭାଂଶ ପ୍ରଦାନ ବୋଲି ଜଣାପଡ଼ିଛି।
ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ OPHWCର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଲାଭାଂଶର ଚେକ୍ ପ୍ରଦାନ କରିଥିଲେ। ଏହି ଅବସରରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ରାଧା କିଶନ୍ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ନିଗମର ସୂଚନା ଅନୁସାରେ, ଆର୍ଥିକ ବର୍ଷ ୨୦୨୫–୨୬ରେ OPHWC ପ୍ରାୟ ୧,୫୨୦ କୋଟି ଟଙ୍କାର କାରବାର କରିଛି, ଯାହା ପୂର୍ବ ବର୍ଷର ୧,୩୬୬ କୋଟି ଟଙ୍କା ତୁଳନାରେ ପ୍ରାୟ ୧୧ ପ୍ରତିଶତ ଅଧିକ। ଏହା ମଧ୍ୟ ନିଗମର ଇତିହାସରେ ସର୍ବାଧିକ କାରବାର।
୨୦୧୪–୧୫ ଆର୍ଥିକ ବର୍ଷରୁ OPHWC ନିୟମିତ ଭାବେ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରିଆସୁଛି। ଚଳିତ ବର୍ଷର ଲାଭାଂଶ ସହ ମୋଟ ଲାଭାଂଶ ପ୍ରଦାନ ପରିମାଣ ୮୬.୦୫ କୋଟି ଟଙ୍କାରେ ପହଞ୍ଚିଛି।
ଉଚ୍ଚମାନର ନିର୍ମାଣ କାର୍ଯ୍ୟ ଓ ସମୟାନୁବର୍ତ୍ତୀ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ OPHWC ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ପାଇଛି। ନୀତି ଆୟୋଗ ଅଧୀନସ୍ଥ କନଷ୍ଟ୍ରକ୍ସନ୍ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ କାଉନସିଲ୍ (CIDC) ପକ୍ଷରୁ ୨୦୨୫ରେ ଭୁବନେଶ୍ୱର କମିଶନରେଟ୍ ପୋଲିସ ଭବନ ଏବଂ ୨୦୨୬ରେ ଗୋପବନ୍ଧୁ ପ୍ରଶାସନ ଏକାଡେମୀର ନୂତନ ଛାତ୍ରାବାସ ନିର୍ମାଣ ପାଇଁ ନିଗମକୁ ସମ୍ମାନଜନକ ‘ବିଶ୍ୱକର୍ମା ପୁରସ୍କାର’ ପ୍ରଦାନ କରାଯାଇଛି।
ବର୍ତ୍ତମାନ OPHWC କଟକର ତାରକସି ହବ୍, ଭୁବନେଶ୍ୱରର ଏକ୍ସାଇଜ୍ ଭବନ, ଗୋପବନ୍ଧୁ ପ୍ରଶାସନ ଏକାଡେମୀ ଛାତ୍ରାବାସ, ବିଭିନ୍ନ ସ୍ଥାନରେ ଟ୍ରକ୍ ଟର୍ମିନାଲ, ଭୁବନେଶ୍ୱରର ନୂତନ ମଡେଲ୍ ଜେଲ୍, ଯାଜପୁର ଜିଲ୍ଲା କାରାଗାର, ପାରାଦୀପ ବ୍ଲୁ ଫ୍ଲାଗ୍ ବିଚ୍, ଡୁମଡୁମା ଜଳପ୍ରପାତ ଓ ଜିରାଙ୍ଗ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ କରୁଛି। ଏହା ସହିତ OSRTCର ରାଜ୍ୟବ୍ୟାପୀ ଅଟଳ ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ମଧ୍ୟ ନିଗମ ହାତକୁ ନେଇଛି।
ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା, ଆର୍ଥିକ ଶୃଙ୍ଖଳା ଓ ସମୟୋପଯୋଗୀ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଯୋଗୁଁ OPHWC ରାଜ୍ୟର ଭିତ୍ତିଭୂମି ବିକାଶରେ ଏକ ଅଗ୍ରଣୀ ସରକାରୀ ଉଦ୍ୟୋଗ ଭାବେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।
