ଭୂଦାନ ଜମିର ବଣ୍ଟନ ଓ ରେକର୍ଡରେ ହିତାଧିକାରୀଙ୍କ ନାମଜାରି ପ୍ରକ୍ରିୟାକୁ ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଭୂଦାନ ଜମି ବଣ୍ଟନରେ ଦେଖାଦେଉଥିବା ଅନିୟମିତତା, ପ୍ରଶାସନିକ ତ୍ରୁଟି ଏବଂ ଆଇନଗତ ଜଟିଳତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଜମି ବଣ୍ଟନ ଓ ନାମଜାରି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି। ଏହା ସହିତ ପୂର୍ବରୁ ହିତାଧିକାରୀଙ୍କ ନାମରେ ରେକର୍ଡ ହୋଇଥିବା ଭୂଦାନ ଜମିର ବିକ୍ରୟ, ହସ୍ତାନ୍ତର କିମ୍ବା ପଞ୍ଜୀକରଣ ଉପରେ ମଧ୍ୟ ଅସ୍ଥାୟୀ ରୋକ୍ ଲାଗୁ କରାଯାଇଛି।
ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ରେଭିନ୍ୟୁ ଡିଭିଜନାଲ କମିଶନର, ରେଜିଷ୍ଟ୍ରେସନ୍ ମହାନିରୀକ୍ଷକ ଏବଂ ଭୂ-ଅଭିଲେଖ ଓ ସର୍ଭେ ନିର୍ଦ୍ଦେଶାଳୟକୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇଛି। ସ୍ଥାନୀୟ ସ୍ତରରେ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ କୁହାଯାଇଛି।
ବିଭାଗର ସୂଚନା ଅନୁସାରେ, କିଛି ସ୍ଥାନରେ ସରକାରୀ ନିୟମ ଓ ପ୍ରକ୍ରିୟାକୁ ଅନୁସରଣ ନକରି ଜମିର ପ୍ରକୃତ ସ୍ଥିତି, ମାଲିକାନା ଏବଂ ରେକର୍ଡ ଯାଞ୍ଚ ବିନା ଭୂଦାନ ଜମି ବଣ୍ଟନ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ପରବର୍ତ୍ତୀ ସମୟରେ ରେକର୍ଡ ସଂଶୋଧନ, ନାମଜାରି ଓ ପଞ୍ଜୀକରଣ ବେଳେ ବିଭିନ୍ନ ଆଇନଗତ ବିବାଦ ସୃଷ୍ଟି ହେଉଛି। କେତେକ କ୍ଷେତ୍ରରେ ଏହାକୁ ନେଇ ଅଦାଲତରେ ମାମଲା ମଧ୍ୟ ଚାଲିଥିବାରୁ ପ୍ରକ୍ରିୟା ଅଧିକ ଜଟିଳ ହେଉଛି।
ଏଭଳି ପରିସ୍ଥିତିରେ ଭୂଦାନ ଜମି ପରିଚାଳନାକୁ ସ୍ୱଚ୍ଛ, ନିୟମବଦ୍ଧ ଏବଂ ବିବାଦମୁକ୍ତ କରିବା ପାଇଁ ସରକାର ଏହି ଅସ୍ଥାୟୀ କଟକଣା ଲାଗୁ କରିଛନ୍ତି। ସମସ୍ତ ରେକର୍ଡର ଯାଞ୍ଚ ଓ ପ୍ରକ୍ରିୟାର ସମୀକ୍ଷା ପରେ ନୂତନ ନିର୍ଦ୍ଦେଶାବଳୀ ଜାରି ହେବ ଏବଂ ସେହି ଅନୁଯାୟୀ ଭୂଦାନ ଜମି ବଣ୍ଟନ ଓ ନାମଜାରି ପ୍ରକ୍ରିୟା ପୁନର୍ବାର ଆରମ୍ଭ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଇଛି।
