ଆମେରିକା ସହ ଦୀର୍ଘ ଯୁଦ୍ଧ ଓ କଠୋର ଆର୍ଥିକ ପ୍ରତିବନ୍ଧର ପ୍ରଭାବ ଇରାନର ଅର୍ଥନୀତି ଉପରେ ସ୍ପଷ୍ଟ ହେବାରେ ଲାଗିଛି। ଇରାନୀ ନେତୃତ୍ୱ ଏବେ ଦେଶରେ ବଢ଼ୁଥିବା ଆର୍ଥିକ ଓ ଜୀବନଯାପନ ସମସ୍ୟା ନେଇ ଚିନ୍ତା ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ମସୁଦ ପେଜେଶକିଆନଙ୍କ ଅନୁସାରେ, ଆମେରିକୀୟ ପ୍ରତିବନ୍ଧ ଓ ନୌସେନା ନାକାବନ୍ଦୀ ଯୋଗୁଁ ଇରାନର ରପ୍ତାନି-ଆମଦାନି ପ୍ରାୟ ୩୫ ପ୍ରତିଶତ ହ୍ରାସ ପାଇଛି।
ଏହି ସମୟରେ ଇରାନର ବାର୍ଷିକ ମୁଦ୍ରାସ୍ଫୀତି ୬୬ ପ୍ରତିଶତରେ ପହଞ୍ଚିଥିବାରୁ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ଚାପ ଆହୁରି ବଢ଼ିଛି। ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତବା ଖାମେନେଇ ସରକାରକୁ ମୁଦ୍ରାସ୍ଫୀତି, ବେକାରି, ଦରଦାମ ଓ ବଜାର ପରିଚାଳନା ଭଳି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆହ୍ୱାନ କରିଛନ୍ତି।
ଅନ୍ୟପଟେ ଆମେରିକା ଇରାନ ଉପରେ ଆର୍ଥିକ ଚାପକୁ ଆହୁରି ବଢ଼ାଇଛି। ଇରାନ ସହ ବ୍ୟବସାୟିକ ସମ୍ପର୍କ ରଖୁଥିବା ଦେଶଗୁଡ଼ିକୁ ଦ୍ୱିତୀୟ ପର୍ଯ୍ୟାୟର ପ୍ରତିବନ୍ଧର ଚେତାବନୀ ଦିଆଯାଇଛି। ତେବେ ଚୀନ୍ ଓ ଭାରତ ଭଳି ବଡ଼ ବାଣିଜ୍ୟିକ ଭାଗିଦାରଙ୍କ ଉପରେ ଏପର୍ଯ୍ୟନ୍ତ ପ୍ରମୁଖ ପ୍ରତିବନ୍ଧ ଲଗାଯାଇନାହିଁ।
ଆମେରିକାର ଅର୍ଥ ବିଭାଗ ଇରାନ ସହ ବ୍ୟବସାୟ କରିବା ଅଭିଯୋଗରେ ଇଜିପ୍ଟର Banque Misr ଉପରେ ପ୍ରତିବନ୍ଧ ଲଗାଇଛି। ଏହାସହ ହଂକଂସ୍ଥିତ ଏକ ସଂସ୍ଥା ଓ ଇରାନର Bank Melli ସହ ସମ୍ପର୍କିତ ଜଣେ ବ୍ୟକ୍ତିଙ୍କ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।
ତେବେ ଆର୍ଥିକ ଚାପ ମଧ୍ୟରେ କୂଟନୈତିକ ଆଲୋଚନାର ରାସ୍ତା ମଧ୍ୟ ଖୋଜାଯାଉଛି। କାତାରର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲରହମାନ ଅଲ୍ ଥାନି ତେହରାନ ଗସ୍ତ କରି ଇରାନୀ ନେତାଙ୍କ ସହ ଆଲୋଚନା କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଯୁଦ୍ଧ ପୂର୍ବର ଭଳି ମୁକ୍ତ ଜାହାଜ ଚଳାଚଳ ବ୍ୟବସ୍ଥା ଫେରାଇ ଆଣିବା ଉପରେ ସେ ଗୁରୁତ୍ୱ ଦେଇଥିବା କହିଛନ୍ତି।
ହର୍ମୁଜ୍ ପ୍ରଣାଳୀକୁ ନେଇ ମୁହାଁମୁହିଁ: ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଜାରି ରହିଛି। ଆମେରିକା ପକ୍ଷରୁ ଏହି ଜଳପଥ ଖୋଲା ଥିବା ଦାବି କରାଯାଉଥିବା ବେଳେ ଇରାନର ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ ଏହାକୁ ଖଣ୍ଡନ କରିଛି।
ଶୁକ୍ରବାର ପ୍ରକାଶିତ ପ୍ରାଥମିକ ଜାହାଜ ଚଳାଚଳ ତଥ୍ୟ ଅନୁସାରେ, ଗୁରୁବାର ମାତ୍ର ୭ଟି ବାଣିଜ୍ୟିକ ଜାହାଜ ହର୍ମୁଜ୍ ପ୍ରଣାଳୀ ଦେଇ ଯାଇଥିଲା। ଏହାର ପୂର୍ବଦିନ ୧୭ଟି ଜାହାଜ ଏହି ଜଳପଥ ଅତିକ୍ରମ କରିଥିଲା। ଫଳରେ ଯୁଦ୍ଧ ଓ ନାକାବନ୍ଦୀର ପ୍ରଭାବ କେବଳ ଇରାନ ନୁହେଁ, ବିଶ୍ୱ ଶକ୍ତି ବଜାର ଓ ଅର୍ଥନୀତି ଉପରେ ମଧ୍ୟ ପଡ଼ିବାର ଆଶଙ୍କା ବଢ଼ିଛି।
