କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଦୋଳିତା ଅଞ୍ଚଳର ରଜିଆ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଥିବାରୁ ପାଠପଢ଼ା ପ୍ରଭାବିତ ହୋଇଛି।ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୫୯ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ମାତ୍ର ୪ ଜଣ ଶିକ୍ଷକ ରହିଛନ୍ତି। ବିଶେଷକରି ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ସେହିପରି ପିଇଟି ଏବଂ ହିନ୍ଦୀ ଶିକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲି ରହିଛି। ଗଣିତ ଶିକ୍ଷକଙ୍କୁ ଦୁଇ ମାସରୁ ଅଧିକ ସମୟ ଧରି ଏସ୍ଆଇଆର୍ ଡ୍ୟୁଟିରେ ନିୟୋଜିତ କରାଯାଇଥିବାରୁ ସେ ବିଦ୍ୟାଳୟକୁ ଆସୁନଥିବା ଅଭିଭାବକମାନେ କହିଛନ୍ତି। ଫଳରେ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀଙ୍କ ଗଣିତ ପାଠପଢ଼ା ବ୍ୟାହତ ହୋଇଛି।ଆଗକୁ ମାଟ୍ରିକ୍ ପରୀକ୍ଷା ଥିବାରୁ ନବମ ଓ ଦଶମ ଶ୍ରେଣୀର ପାଠପଢ଼ାକୁ ନେଇ ଅଭିଭାବକମାନେ ଅଧିକ ଚିନ୍ତିତ ଅଛନ୍ତି। ଶିକ୍ଷକ ଅଭାବ ସମ୍ପର୍କରେ ପୂର୍ବରୁ ଶିକ୍ଷା ବିଭାଗ ଏବଂ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଭାବକମାନଙ୍କ ଅଭିଯୋଗ।
ଶେଷରେ କୌଣସି ସମାଧାନ ନମିଳିବାରୁ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ବିଦ୍ୟାଳୟ ଫାଟକ ବନ୍ଦ ରହିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବାହାରେ ରହିଥିଲେ ଏବଂ ପାଠପଢ଼ା ବନ୍ଦ ରହିଥିବା ଜଣାପଡ଼ିଛି।ଅଭିଭାବକମାନଙ୍କ ଦାବି ହେଉଛି, ଶୀଘ୍ର ଆବଶ୍ୟକ ଶିକ୍ଷକ ପଦବୀ ପୂରଣ କରାଯାଇ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ସ୍ୱାଭାବିକ କରାଯାଉ। ବିଶେଷକରି ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଶିକ୍ଷକ ଅଭାବର ସମାଧାନ ନହେଲେ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରଭାବିତ ହେବା ନେଇ ଅଭିଭାବକମାନେ ଆଶଙ୍କା ପ୍ରକାଶ କରିଛନ୍ତି।
