ଦିଲ୍ଲୀର ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଏବେ ରାଜଧାନୀର ଯୋଗ୍ୟ ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଏହି ଯୋଜନା ପାଇଁ ଆସନ୍ତା ଅଗଷ୍ଟ ୧ ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ।
ଦିଲ୍ଲୀ ସରକାରଙ୍କ ‘ଲକ୍ଷ୍ମୀ ଯୋଜନା’ ଅଧୀନରେ ରାଜ୍ୟର ପ୍ରାୟ ୧୭ ଲକ୍ଷରୁ ଅଧିକ ମହିଳା ଏହାର ଲାଭ ପାଇବେ। ଏହି ଯୋଜନା ପାଇଁ ସରକାର କିଛି ଯୋଗ୍ୟତା ନିୟମ ମଧ୍ୟ ଧାର୍ଯ୍ୟ କରିଛନ୍ତି।
ଯୋଜନାର ପ୍ରଥମ ଶର୍ତ୍ତ ଅନୁସାରେ, ୨୧ ବର୍ଷରୁ ୬୦ ବର୍ଷ ବୟସର ମହିଳାମାନେ ଏହାର ଲାଭ ନେଇପାରିବେ। ଏହା ସହିତ ଯେଉଁ ମହିଳାଙ୍କ ପରିବାରର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ହେବେ।
ତେବେ ଆୟକର ଦେଉଥିବା ମହିଳା, ସରକାରୀ କର୍ମଚାରୀ, ଅନ୍ୟ ପେନ୍ସନ୍ଧାରୀ ଏବଂ ପୂର୍ବରୁ ଆର୍ଥିକ ସହାୟତା ପାଉଥିବା ମହିଳାମାନେ ଏହି ଯୋଜନାର ଲାଭ ପାଇପାରିବେ ନାହିଁ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, “ଅଗଷ୍ଟ ୧ରୁ ଦିଲ୍ଲୀ ଲକ୍ଷ୍ମୀ ଯୋଜନା ପାଇଁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହେଉଛି। ସମସ୍ତ ଯୋଗ୍ୟ ଭଉଣୀମାନଙ୍କୁ ଅନୁରୋଧ, ନିଜ ପଞ୍ଜୀକରଣ ନିଶ୍ଚିତ କରନ୍ତୁ। ପ୍ରତି ମାସରେ ଆପଣଙ୍କ ଖାତାକୁ ଦିଲ୍ଲୀ ସରକାର ୨୫୦୦ ଟଙ୍କା ପଠାଇବ।”
ସିଏମ୍ ରେଖା ଗୁପ୍ତା କହିଛନ୍ତି ଯେ, ରକ୍ଷାବନ୍ଧନ ଅବସରରେ ୧୭ ଲକ୍ଷରୁ ଅଧିକ ମହିଳାଙ୍କୁ ଯୋଜନାର ପ୍ରଥମ କିସ୍ତି ମିଳିବ। ଏହି ଯୋଜନାକୁ ଦିଲ୍ଲୀ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଏହା ଅଧୀନରେ ପ୍ରତି ମାସରେ ସରକାର ୫୧୧୦ କୋଟି ଟଙ୍କା ବଣ୍ଟନ କରିବ।
ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ହେବ ଆବେଦନ
ସରକାର ପକ୍ଷରୁ ୨୦୨୬ ଅଗଷ୍ଟ ୧ରୁ ଏହି ଯୋଜନା ପାଇଁ ଅନଲାଇନ୍ ପୋର୍ଟାଲ ଆରମ୍ଭ କରାଯିବ। ମହିଳାମାନେ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ।
ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ ଓ ପାରଦର୍ଶୀ ରଖାଯିବ। ଜିଲ୍ଲା ସ୍ତରରେ ଆବେଦନଗୁଡ଼ିକର ଯାଞ୍ଚ କରାଯାଇ ମଞ୍ଜୁରୀ ଦିଆଯିବ। ଅଭିଯୋଗ ପାଇଁ ପାରଦର୍ଶୀ ଗ୍ରିଭାନ୍ସ ସିଷ୍ଟମ୍ ମଧ୍ୟ ଲାଗୁ କରାଯିବ।
ମହିଳାଙ୍କ ପାଇଁ ଦୁଇଟି ବିକଳ୍ପ
ସରକାର ଏହି ଯୋଜନାରେ ମହିଳାଙ୍କୁ ଦୁଇଟି ବିକଳ୍ପ ଦେଇଛନ୍ତି।
ପ୍ରଥମ ବିକଳ୍ପରେ ମହିଳାମାନେ ୧୫୦୦ ଟଙ୍କା ଏଫ୍ଡି କିମ୍ବା ଆର୍ଡିରେ ପାଇବେ ଏବଂ ୧୦୦୦ ଟଙ୍କା ସିବିଡିସି ଡିଜିଟାଲ ରୁପି ୱାଲେଟ୍ରେ ଆସିବ।
ଦ୍ୱିତୀୟ ବିକଳ୍ପରେ ସମ୍ପୂର୍ଣ୍ଣ ୨୫୦୦ ଟଙ୍କା ଏଫ୍ଡି କିମ୍ବା ଆର୍ଡି ଆକାରରେ ମିଳିପାରିବ।
ସରକାରଙ୍କ କହିବା ଅନୁସାରେ, ଏହି ଯୋଜନା ମହିଳାଙ୍କ ଆର୍ଥିକ ସୁରକ୍ଷା ବଢ଼ାଇବା ସହିତ ସଞ୍ଚୟ ଅଭ୍ୟାସ ଓ ଆତ୍ମନିର୍ଭରତାକୁ ପ୍ରୋତ୍ସାହନ ଦେବ।
