ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହ ଜଡ଼ିତ ଥିବା ଏକ ଆନ୍ତର୍ରାଜ୍ୟ ଆତଙ୍କୀ ଓ ଅସ୍ତ୍ର ଚୋରାଚାଲାଣ ନେଟୱର୍କର ପର୍ଦ୍ଦାଫାସ କରିଛି। ଏହି ମାମଲାରେ ପଞ୍ଜାବରୁ ୩ ଜଣ ଓ ଦିଲ୍ଲୀରୁ ଜଣେ ମିଶି ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି।
ପୋଲିସ କହିଛି, ପାକିସ୍ତାନରେ ଥିବା ISI ହ୍ୟାଣ୍ଡଲର ଶାହଜାଦ ଭଟ୍ଟିଙ୍କ ନିର୍ଦ୍ଦେଶରେ ଏମାନେ ଦିଲ୍ଲୀ-ଏନ୍ସିଆରରେ ଆତଙ୍କୀ ଘଟଣା ଘଟାଇବା ପାଇଁ ପ୍ରସ୍ତୁତି କରୁଥିଲେ।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପଞ୍ଜାବର ତରନତାରନ ଅଞ୍ଚଳର ଶୁଭଦୀପ ସିଂହ ଓରଫ ବିଶାଳ, ଗୁରଜନ୍ତ ସିଂହ ଓରଫ ଋଷି, ଅମୃତସରର ସାଜନ ସିଂହ ଓରଫ ହନି ଏବଂ ଫତେହଗଡ଼ ସାହିବର ଗଗନପ୍ରୀତ।
ଅଭିଯୁକ୍ତମାନଙ୍କ ପାଖରୁ ଦୁଇଟି ବିଦେଶୀ ପିସ୍ତଲ, ୯ଟି ଜୀବନ୍ତ ଗୁଳି ଓ ୫ଟି ମୋବାଇଲ ଫୋନ ଜବତ କରାଯାଇଛି।
ତଦନ୍ତରେ ଜଣାପଡ଼ିଛି ଯେ, ଶୁଭଦୀପ ସିଂହ ପାକିସ୍ତାନରୁ ଡ୍ରୋନ୍ ମାଧ୍ୟମରେ ପଠାଯାଉଥିବା ଅସ୍ତ୍ର ଓ ନିଶାଦ୍ରବ୍ୟର ଖେପ ଗ୍ରହଣ କରୁଥିଲେ। ବିଦେଶୀ ନମ୍ବର ମାଧ୍ୟମରେ ସେ ପାକିସ୍ତାନୀ ହ୍ୟାଣ୍ଡଲର ଓ ଡ୍ରୋନ୍ ଅପରେଟରଙ୍କ ସହ ଯୋଗାଯୋଗରେ ଥିଲେ। ଶୁଭଦୀପ ଓ ସାଜନ ପୂର୍ବରୁ ମଧ୍ୟ NDPS ଆଇନ ଅନୁସାରେ ଗିରଫ ହୋଇଥିଲେ।
ଶୁଭଦୀପଙ୍କ ସୂଚନା ଆଧାରରେ ପୋଲିସ ପଞ୍ଜାବରୁ ଗୁରଜନ୍ତ ସିଂହ ଓ ସାଜନ ସିଂହଙ୍କୁ ଗିରଫ କରିଥିଲା। ଉଭୟଙ୍କ ବିରୋଧରେ ପାକିସ୍ତାନରୁ ଡ୍ରୋନ୍ ଯୋଗେ ଅସ୍ତ୍ର ଓ ନିଶାଦ୍ରବ୍ୟ ଆଣିବା ଅଭିଯୋଗ ରହିଛି।
ପରେ ଗଗନପ୍ରୀତଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିଲା। ତାଙ୍କ ମୋବାଇଲରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପ୍ରମାଣ ମିଳିଛି। ତଦନ୍ତରେ ଜଣାପଡ଼ିଛି ଯେ, ତାଙ୍କୁ ଦିଲ୍ଲୀର ଧାର୍ମିକ ସ୍ଥାନ, ପୋଲିସ ଥାନା ଓ ପୋଲିସ ପିକେଟର ରେକି କରିବା ସହ ସହରରେ ଗୁଳିକାଣ୍ଡ ଘଟାଇବାକୁ ନିର୍ଦ୍ଦେଶ ମିଳିଥିଲା।
ଦିଲ୍ଲୀ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ BNS ଓ ଆର୍ମ୍ସ ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
