Home Nationalକମନୱେଲ୍ଥରେ ଭାରତୀୟ ବକ୍ସରଙ୍କ ଦବଦବା, ୯ ପଦକ ହେଲା ପକ୍କା

କମନୱେଲ୍ଥରେ ଭାରତୀୟ ବକ୍ସରଙ୍କ ଦବଦବା, ୯ ପଦକ ହେଲା ପକ୍କା

by Shubham Kumar
0 comments

ଜାସମିନଙ୍କ ବିଜୟରେ ଉତ୍ସାହ, କ୍ୱାର୍ଟର ଫାଇନାଲରେ ସମସ୍ତ ଭାରତୀୟ ବକ୍ସରଙ୍କ ବିଜୟ; ସେମିଫାଇନାଲରେ ପହଞ୍ଚି ପଦକ ନିଶ୍ଚିତ

କମନୱେଲ୍ଥ ଗେମ୍ସ–୨୦୨୬ରେ ଭାରତୀୟ ବକ୍ସରମାନଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ୫୭ କେଜି ବର୍ଗର କ୍ୱାର୍ଟର ଫାଇନାଲରେ ଜାସମିନ୍ ଲାମ୍ବୋରିଆ ଇଂଲଣ୍ଡର ଏଲିସ୍ ଗ୍ଲିନ୍‌ଙ୍କୁ ୪-୧ ସ୍ପ୍ଲିଟ୍ ନିଷ୍ପତ୍ତିରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହୋଇଛି।

ହରିୟାଣାର ଭିୱାନୀର ୨୪ ବର୍ଷୀୟା ଜାସମିନ୍ ମ୍ୟାଚ୍‌ରେ ଆରମ୍ଭରୁ ଆତ୍ମବିଶ୍ୱାସର ସହ ଖେଳିଥିଲେ। ପାଞ୍ଚ ଜଣ ବିଚାରକଙ୍କ ମଧ୍ୟରୁ ଚାରି ଜଣ ତାଙ୍କ ସପକ୍ଷରେ ରାୟ ଦେଇଥିଲେ। ୨୦୨୨ ବର୍ମିଂହାମ୍ କମନୱେଲ୍ଥ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଜାସମିନ୍ ଗତ କିଛି ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ ନିରନ୍ତର ସଫଳତା ହାସଲ କରୁଛନ୍ତି।

ବୁଧବାର ଖେଳାଯାଇଥିବା ସମସ୍ତ କ୍ୱାର୍ଟର ଫାଇନାଲରେ ଭାରତୀୟ ବକ୍ସରମାନେ ବିଜୟୀ ହୋଇ ଦମଦାର ପ୍ରଦର୍ଶନ କରିଛନ୍ତି। ଫଳରେ ବୁଧବାର ମଇଦାନକୁ ଓହ୍ଲାଇଥିବା ସମସ୍ତ ଛଅ ଜଣ ଭାରତୀୟ ବକ୍ସର ସେମିଫାଇନାଲରେ ପହଞ୍ଚିଛନ୍ତି। ଏହାପୂର୍ବରୁ ମଙ୍ଗଳବାର ତିନି ଜଣ ଭାରତୀୟ ବକ୍ସର ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲେ। ଏହା ସହିତ ଭାରତର ମୋଟ ୯ଟି ପଦକ ନିଶ୍ଚିତ ହୋଇଛି। କମନୱେଲ୍ଥ ଗେମ୍ସ ବକ୍ସିଂ ନିୟମ ଅନୁସାରେ ସେମିଫାଇନାଲରେ ପରାଜିତ ହେଉଥିବା ଉଭୟ ବକ୍ସରଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଏ।

ପୁରୁଷ ୯୦ କେଜିରୁ ଅଧିକ ବର୍ଗରେ ନରେନ୍ଦର ସାମୋଆର ମାଇକେଲ୍ ସେକୋଙ୍କୁ ୩-୨ ସ୍ପ୍ଲିଟ୍ ନିଷ୍ପତ୍ତିରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅଙ୍କୁଶ ମଧ୍ୟ ଏକପାଖିଆ ପ୍ରଦର୍ଶନ କରି ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଅତି କମରେ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି।

ଏହା ପୂର୍ବରୁ ସଚିନ ସିୱାଚ, ଅରୁନ୍ଧତୀ ଚୌଧୁରୀ ଏବଂ ସାକ୍ଷୀ ମଧ୍ୟ ନିଜ ନିଜ କ୍ୱାର୍ଟର ଫାଇନାଲ ଜିତି ସେମିଫାଇନାଲରେ ପହଞ୍ଚିଥିଲେ। ସାକ୍ଷୀ ମହିଳା ୫୧ କେଜି ବର୍ଗରେ ଉତ୍ତର ଆୟରଲ୍ୟାଣ୍ଡର କେଟଲିନ୍ ଫ୍ରାୟର୍ସଙ୍କୁ ୫-୦ ବ୍ୟବଧାନରେ ପରାସ୍ତ କରିଥିଲେ। ଅରୁନ୍ଧତୀ ମହିଳା ୭୦ କେଜି ବର୍ଗରେ ନ୍ୟୁଜିଲ୍ୟାଣ୍ଡର ମୋର୍ଗାନ୍ ହେଣ୍ଡରସନ୍‌ଙ୍କୁ ହରାଇଥିବାବେଳେ ସଚିନ ସିୱାଚ ପୁରୁଷ ୬୦ କେଜି ବର୍ଗରେ ଦମଦାର ବିଜୟ ହାସଲ କରିଥିଲେ।

ମଙ୍ଗଳବାର ମନଦେଙ୍ଗବମ୍ ଜାଦୁମଣି ସିଂହ, ପ୍ରିୟା ଓ ପ୍ରୀତି ମଧ୍ୟ ସେମିଫାଇନାଲରେ ପହଞ୍ଚି ଭାରତ ପାଇଁ ପଦକ ନିଶ୍ଚିତ କରିଥିଲେ। ବିଶେଷକରି ପ୍ରୀତିଙ୍କ ଏକପାଖିଆ ବିଜୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ତିନିଥର ନକ୍‌ଡାଉନ୍ କରି ପ୍ରଭାବଶାଳୀ ବିଜୟ ହାସଲ କରିଥିଲେ।

ଭାରତୀୟ ବକ୍ସରମାନଙ୍କ ଏହି ଲଗାତାର ସଫଳତା କମନୱେଲ୍ଥ ଗେମ୍ସରେ ଦେଶର ପଦକ ସଂଖ୍ୟା ବଢ଼ାଇବା ସହ ସ୍ୱର୍ଣ୍ଣ ପଦକ ଆଶାକୁ ମଧ୍ୟ ଅଧିକ ମଜବୁତ କରିଛି। ଏବେ ସମସ୍ତଙ୍କ ନଜର ସେମିଫାଇନାଲ ଓ ଫାଇନାଲ ମୁକାବିଲା ଉପରେ ରହିଛି।

You may also like

Leave a Comment