ଆମେରିକାର ନୂଆ ଟାରିଫ୍କୁ ନେଇ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବାଣିଜ୍ୟିକ ବିବାଦ ଆହୁରି ତୀବ୍ର ହୋଇଛି। ଆମେରିକା ଲାଗୁ କରିଥିବା ନୂଆ ଶୁଳ୍କର ପାଲଟା ଜବାବ ଦେଇ କାନାଡା ପ୍ରାୟ ୨୦ ବିଲିୟନ୍ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ ଉପରେ ପ୍ରତିଶୋଧମୂଳକ ଟାରିଫ୍ ଘୋଷଣା କରିଛି। ସେପ୍ଟେମ୍ବର ୮ରୁ ଏହି ନୂଆ ଶୁଳ୍କ ଲାଗୁ ହେବ।
କାନାଡା ସରକାରଙ୍କ ଅନୁଯାୟୀ, ପ୍ରାୟ ୭୦୦ ପ୍ରକାରର ଆମେରିକୀୟ ଉତ୍ପାଦ ଉପରେ ୧୫%, ୨୫% ଓ ୫୦% ହାରରେ ଟାରିଫ୍ ଲାଗୁ କରାଯିବ। ଏହି ପଦକ୍ଷେପ ଆମେରିକାର ସମାନ ମୂଲ୍ୟର ଆମଦାନୀ ଉପରେ ଲାଗୁ ହୋଇଥିବା ନୂଆ ଶୁଳ୍କର ପ୍ରତିଜବାବ ଭାବେ ନିଆଯାଇଛି।
କାନାଡା ପକ୍ଷରୁ ଷ୍ଟିଲ୍, ଆଲୁମିନିୟମ୍, ଫର୍ଣ୍ଣିଚର୍ ଓ ପୋଷାକ ଭଳି ସାମଗ୍ରୀ ଉପରେ ୫୦% ଟାରିଫ୍ ଲାଗୁ କରାଯାଇଛି। ପନିର, ଘରୋଇ ଉପକରଣ ଓ କିଛି ସାମୁଦ୍ରିକ ଖାଦ୍ୟ ଉପରେ ୨୫% ଏବଂ ଇଲେକ୍ଟ୍ରୋନିକ୍ସ ଓ ଟୁଲ୍ସ ଉପରେ ୧୫% ଶୁଳ୍କ ଲାଗିବ।
ଏହା ବ୍ୟତୀତ ପ୍ରସ୍ତୁତ ଖାଦ୍ୟ, ପର୍ଫ୍ୟୁମ୍, ଟଏଲେଟ୍ରିଜ୍, ପ୍ଲାଷ୍ଟିକ୍, କାଠ, ପେପର୍ ପ୍ରଡକ୍ଟ, କାର୍ପେଟ୍, ମେସିନାରୀ, ଇଲେକ୍ଟ୍ରିକାଲ୍ ଉପକରଣ, ରେଳ ଇଞ୍ଜିନ୍, ମୋଟରସାଇକେଲ୍ ଓ ଗେମିଂ ଉପକରଣ ମଧ୍ୟ ଏହି ତାଲିକାରେ ରହିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାରୁ ଆମଦାନୀ ହେଉଥିବା ପ୍ରାୟ ୨୦ ବିଲିୟନ୍ ଡଲାରର ସାମଗ୍ରୀ ଉପରେ ନୂଆ ୫୦% ଟାରିଫ୍ ଲାଗୁ କରିଛନ୍ତି। ଶନିବାରଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଦୁଇ ଦେଶ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଏହି ଶୁଳ୍କ ଲାଗୁ କରାଯାଇଥିଲା।
ଫଳରେ ଦୀର୍ଘଦିନର ଘନିଷ୍ଠ ସହଯୋଗୀ ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ନୂଆ ତିକ୍ତତା ସୃଷ୍ଟି ହୋଇଛି।
ଟାରିଫ୍ ଯୋଗୁଁ ପ୍ରଭାବିତ ହେବାକୁ ଥିବା ବ୍ୟବସାୟ ଓ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ କାନାଡା ସରକାର ୭.୫ ବିଲିୟନ୍ କାନାଡିଆନ୍ ଡଲାରର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି।
ଏଥିରେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ପାଇଁ ସହାୟତା, କମ୍ପାନୀଗୁଡ଼ିକର କ୍ୟାଶ୍ଫ୍ଲୋ ବଜାୟ ରଖିବା ପାଇଁ ପାଣ୍ଠି ଏବଂ ଟାରିଫ୍ ଯୋଗୁଁ ଚାକିରି ବିପଦରେ ପଡ଼ିଥିବା କର୍ମଚାରୀଙ୍କ ପାଇଁ ସହାୟତା ରହିଛି।
କାନାଡାର Business Development Bank ପ୍ରଭାବିତ ବ୍ୟବସାୟକୁ ୨.୫ ନିୟୁତରୁ ୫ ନିୟୁତ କାନାଡିଆନ୍ ଡଲାର ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଯୋଗାଇବ। କମ୍ପାନୀଗୁଡ଼ିକୁ ୩୬ ମାସ ପର୍ଯ୍ୟନ୍ତ ଏହି ଋଣର ଟଙ୍କା ଫେରସ୍ତ କରିବାକୁ ପଡ଼ିବ ନାହିଁ।
କାନାଡାର ଅର୍ଥମନ୍ତ୍ରୀ ଫ୍ରାଙ୍କୋଇସ୍-ଫିଲିପ୍ ଚାମ୍ପେନ୍ କହିଛନ୍ତି ଯେ ଏହି ପଦକ୍ଷେପ ମାଧ୍ୟମରେ କର୍ମଚାରୀ, କୃଷକ, ପରିବାର ଓ ବ୍ୟବସାୟକୁ ସୁରକ୍ଷା ଦିଆଯିବ।
କାନାଡାର ଶିଳ୍ପମନ୍ତ୍ରୀ ମେଲାନି ଜୋଲିଙ୍କ କହିବା ଅନୁଯାୟୀ, ଏହି ପ୍ରତିଶୋଧମୂଳକ ଟାରିଫ୍ର ଉଦ୍ଦେଶ୍ୟ କେବଳ କାନାଡାର ବ୍ୟବସାୟକୁ ସୁରକ୍ଷା ଦେବା ନୁହେଁ, ଆମେରିକା ଉପରେ ରାଜନୈତିକ ଚାପ ସୃଷ୍ଟି କରିବା ମଧ୍ୟ ଅଟେ।
ଆମେରିକାର ନଭେମ୍ବର ୩ ମଧ୍ୟାବଧି ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ଆମେରିକୀୟ ରାଜ୍ୟର ଉତ୍ପାଦକୁ ଲକ୍ଷ୍ୟ କରି ଟାରିଫ୍ ଲଗାଯାଇଥିବା ସେ କହିଛନ୍ତି।
ଏହି ଟାରିଫ୍ ଯୁଦ୍ଧ ଦୁଇ ଦେଶର ବ୍ୟବସାୟ ଉପରେ ଚାପ ବଢ଼ାଇବା ସହ ଉତ୍ତର ଆମେରିକାର ଯୋଗାଣ ଶୃଙ୍ଖଳା ଓ ଉପଭୋକ୍ତା ବଜାର ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଦୀର୍ଘଦିନର ସହଯୋଗୀ ଦେଶ ଦୁଇଟି ମଧ୍ୟରେ ଏହି ବାଣିଜ୍ୟିକ ଲଢ଼େଇ ଆଗକୁ କେଉଁ ମୋଡ଼ ନେବ, ତାହା ଉପରେ ବିଶ୍ୱ ବଜାରର ନଜର ରହିଛି।
