ଜମ୍ମୁ-କାଶ୍ମୀରକୁ ନେଇ ପାକିସ୍ତାନ ପାଳନ କରୁଥିବା କଥିତ ‘ୟୌମ-ଏ-ଇସ୍ତେହସାଲ’ ଅବସରରେ କରାଯାଇଥିବା ମନ୍ତବ୍ୟର କଡ଼ା ଜବାବ ଦେଇଛି ଭାରତ। ବିଦେଶ ମନ୍ତ୍ରାଳୟ (MEA) ସ୍ପଷ୍ଟ କରିଛି ଯେ, ଜମ୍ମୁ-କାଶ୍ମୀର ଓ ଲଦାଖ ସଦାସର୍ବଦା ଭାରତର ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଂଶ ଥିଲା ଏବଂ ରହିବ।
ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ୫ ଅଗଷ୍ଟ ୨୦୧୯ରେ ହୋଇଥିବା ସାମ୍ବିଧାନିକ ପରିବର୍ତ୍ତନ ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ବିଷୟ। ଏହି ପଦକ୍ଷେପ ପରେ ଜମ୍ମୁ-କାଶ୍ମୀରରେ ସାମାଜିକ-ଆର୍ଥିକ ବିକାଶ, ସୁଶାସନ ଏବଂ ଗଣତାନ୍ତ୍ରିକ ସଶକ୍ତିକରଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଏଭଳି ପ୍ରସଙ୍ଗରେ ମନ୍ତବ୍ୟ କରିବାକୁ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି।
ଭାରତ ପାକିସ୍ତାନର ଅଭିଯୋଗକୁ ଖଣ୍ଡନ କରି କହିଛି ଯେ, ମିଥ୍ୟା ପ୍ରଚାର ମାଧ୍ୟମରେ ଇସ୍ଲାମାବାଦ ବିଶ୍ୱ ସମୁଦାୟର ଦୃଷ୍ଟିକୁ ନିଜ ଦେଶର ମାନବାଧିକାର ଉଲ୍ଲଂଘନ ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଭଳି ଗୁରୁତର ପ୍ରସଙ୍ଗରୁ ହଟାଇବାକୁ ଚେଷ୍ଟା କରୁଛି। ବିଶ୍ୱ ସମୁଦାୟ ପାକିସ୍ତାନର ପ୍ରକୃତ ଚିତ୍ର ଦେଖୁଛନ୍ତି ବୋଲି ଭାରତ କହିଛି।
ବିଦେଶ ମନ୍ତ୍ରାଳୟ ଆହୁରି କହିଛି ଯେ, ପାକ୍ ଅଧିକୃତ କାଶ୍ମୀର (PoJK) ରେ ସାଧାରଣ ଲୋକଙ୍କ ମୌଳିକ ଅଧିକାର ଦମନ କରାଯାଉଛି। ସେଠାରେ ଶାନ୍ତିପୂର୍ଣ୍ଣ ନାଗରିକ ଆନ୍ଦୋଳନକୁ ଦମନ କରିବା ପାଇଁ ପାକିସ୍ତାନୀ ସୁରକ୍ଷା ବାହିନୀ ପ୍ରାଣଘାତୀ ବଳ ପ୍ରୟୋଗ, ଟାର୍ଗେଟ କିଲିଂ ଏବଂ ବିଭିନ୍ନ କଟକଣା ଲାଗୁ କରୁଛନ୍ତି। ଏହା ପାକିସ୍ତାନର ଦୋମୁହାଁ ନୀତିକୁ ସାମ୍ନାକୁ ଆଣୁଛି ବୋଲି ଭାରତ କହିଛି।
ଭାରତ ପାକିସ୍ତାନକୁ ପରାମର୍ଶ ଦେଇଛି ଯେ, ପ୍ରଚାରବାଜି ପରିବର୍ତ୍ତେ ପାକ୍ ଅଧିକୃତ କାଶ୍ମୀରରେ ହିଂସା ବନ୍ଦ କରୁ, ନିଜ ଭୂଖଣ୍ଡରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନ ବିରୋଧରେ ବିଶ୍ୱସନୀୟ, ଯାଞ୍ଚଯୋଗ୍ୟ ଏବଂ ସ୍ଥାୟୀ ପଦକ୍ଷେପ ନିଅ, ଏବଂ ବେଆଇନ ଭାବେ ଦଖଲ କରିଥିବା ଭାରତୀୟ ଭୂଭାଗ ଖାଲି କର।
ଭାରତ ସ୍ପଷ୍ଟ କରିଛି ଯେ, ପାକିସ୍ତାନର ବାରମ୍ବାର କୂଟନୈତିକ ପ୍ରଚାର କିମ୍ବା ମିଥ୍ୟା ଅଭିଯାନ ଦ୍ୱାରା ଜମ୍ମୁ-କାଶ୍ମୀରକୁ ନେଇ ଭାରତର ଅବସ୍ଥାନରେ କୌଣସି ପରିବର୍ତ୍ତନ ଆସିବ ନାହିଁ। ଜମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅଭିନ୍ନ ଅଂଶ ଏବଂ ଏହା ନେଇ ଦେଶର ନୀତି ସ୍ପଷ୍ଟ ଓ ଅପରିବର୍ତ୍ତିତ ବୋଲି ବିଦେଶ ମନ୍ତ୍ରାଳୟ ପୁନର୍ବାର ଦୋହରାଇଛି।
