Home Featuredବନ୍ୟା ପରିସ୍ଥିତି ଦୃଷ୍ଟିରେ ଭୋଟର ତାଲିକା ସଂଶୋଧନ ପାଇଁ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନଙ୍କୁ ବିଜେପିର ଅନୁରୋଧ

ବନ୍ୟା ପରିସ୍ଥିତି ଦୃଷ୍ଟିରେ ଭୋଟର ତାଲିକା ସଂଶୋଧନ ପାଇଁ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନଙ୍କୁ ବିଜେପିର ଅନୁରୋଧ

by Lokanath Panigrahi
0 comments

ଭୁବନେଶ୍ୱର, ୩୦ ଜୁଲାଇ:
ରାଜ୍ୟରେ ସୃଷ୍ଟି ହୋଇଥିବା ସାଂପ୍ରତିକ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସଘନ ପ୍ରକ୍ରିୟା (SIR) ଅଧୀନରେ ଭୋଟର ତାଲିକା ସଂଶୋଧନ ପାଇଁ ଦାବୀ ଓ ଆପତ୍ତି ଦାଖଲର ଧାର୍ଯ୍ୟ ସମୟସୀମା ବୃଦ୍ଧି କରିବାକୁ ରାଜ୍ୟ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରାଯାଇଛି।

ଲଗାତାର ମୌସୁମୀ ବର୍ଷା ଓ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି, ରାସ୍ତାଘାଟ କ୍ଷତିଗ୍ରସ୍ତ, ଗଛ ଉପୁଡ଼ି ପଡ଼ିବା ଓ ଯାତାୟାତ ବ୍ୟାହତ ହେବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଏଭଳି ସମୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ ଧାର୍ଯ୍ୟ ଦାବୀ ଓ ଆପତ୍ତି ଦାଖଲ ସମୟସୀମା ପ୍ରଭାବିତ ହେଉଥିବାରୁ ଏହାକୁ ବଢ଼ାଇବା ଆବଶ୍ୟକ ବୋଲି ଦଳ ମତ ପ୍ରକାଶ କରିଛି।

ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି ଯେ, ଏହି ବିପର୍ଯ୍ୟସ୍ତ ପରିସ୍ଥିତିରେ ବୁଥ୍ ଲେଭେଲ ଅଫିସର (BLO), ନିର୍ବାଚନୀ ଅଧିକାରୀ, ରାଜନୈତିକ ଦଳର ପ୍ରତିନିଧି ଓ ସ୍ୱେଚ୍ଛାସେବୀମାନଙ୍କ ପାଇଁ ସ୍ୱତନ୍ତ୍ର ସଘନ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। ତେଣୁ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସୁଯୋଗ ଦେବା ପାଇଁ ସମୟସୀମା ବୃଦ୍ଧି କରାଯିବା ଉଚିତ।

ଏନେଇ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି। ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଦାବୀ ଓ ଆପତ୍ତି ଦାଖଲ ପ୍ରକ୍ରିୟା ହେଉଛି ଭୋଟର ତାଲିକା ସଂଶୋଧନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଏହା ମାଧ୍ୟମରେ ଯୋଗ୍ୟ ନାଗରିକମାନେ ନିଜ ନାମ ଯୋଡ଼ିବା, ତଥ୍ୟ ସଂଶୋଧନ କରିବା ଓ ଅଯୋଗ୍ୟ, ଦୋହରା କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ ଦେବାର ସୁଯୋଗ ପାଇଥାନ୍ତି।

ଡ. ମହାନ୍ତି କହିଛନ୍ତି ଯେ, ଏକ ସଂପୂର୍ଣ୍ଣ, ସଠିକ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ଅଂଶୀଦାରଙ୍କ ସକ୍ରିୟ ସହଭାଗିତା ଅତ୍ୟାବଶ୍ୟକ। ବର୍ତ୍ତମାନର ବନ୍ୟା ପରିସ୍ଥିତିରେ ଅନେକ ଯୋଗ୍ୟ ଭୋଟର ଏହି ସୁଯୋଗରୁ ବଞ୍ଚିତ ହେବାର ଆଶଙ୍କା ଥିବାରୁ ସମୟସୀମା ବୃଦ୍ଧି ପାଇଁ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ବିଷ୍ଣୁ ଦାସ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ, ରାଜ୍ୟ ପ୍ୟାନେଲିଷ୍ଟ ପତଞ୍ଜଳୀ କର ଶର୍ମା, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମୀ ରଞ୍ଜନ କାନୁନଗୋ ଏବଂ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ସାମିଲ ଥିଲେ।

You may also like

Leave a Comment