Home Nationalଗର୍ଭବତୀ ମହିଳାଙ୍କ ପାଇଁ ବଡ଼ ସୁଯୋଗ: AIIA ଆଣିଲା ‘ଗର୍ଭିଣୀ ମିତ୍ର’ କୋର୍ସ, ଅଗଷ୍ଟ ୩୧ ଆବେଦନର ଶେଷ ତାରିଖ

ଗର୍ଭବତୀ ମହିଳାଙ୍କ ପାଇଁ ବଡ଼ ସୁଯୋଗ: AIIA ଆଣିଲା ‘ଗର୍ଭିଣୀ ମିତ୍ର’ କୋର୍ସ, ଅଗଷ୍ଟ ୩୧ ଆବେଦନର ଶେଷ ତାରିଖ

by Akshay Maharana
0 comments

ଗର୍ଭାବସ୍ଥା ଓ ପ୍ରସବ ପରବର୍ତ୍ତୀ ସମୟରେ ମହିଳାଙ୍କୁ ସ୍ୱାସ୍ଥ୍ୟ ଶିକ୍ଷା, ଜୀବନଶୈଳୀ ସମ୍ପର୍କିତ ପରାମର୍ଶ ଏବଂ ସମୁଦାୟ ସ୍ତରରେ ସହାୟତା ଯୋଗାଇବା ପାଇଁ ନୂଆ ପଦକ୍ଷେପ ନେଇଛି ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ (AIIA), ନୂଆଦିଲ୍ଲୀ। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସଂସ୍ଥା ପକ୍ଷରୁ ‘ଗର୍ଭିଣୀ ମିତ୍ର’ ନାମକ ଛଅ ମାସିଆ କୋର୍ସ ଆରମ୍ଭ କରାଯାଇଛି।

ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ସଂସ୍ଥା AIIA ପକ୍ଷରୁ କୁହାଯାଇଛି ଯେ, ଏହା ଏକ ଅଫ୍‌ଲାଇନ୍‌ କୋର୍ସ। ନୂଆଦିଲ୍ଲୀର ସରିତା ବିହାରସ୍ଥିତ AIIA କ୍ୟାମ୍ପସରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଅପରାହ୍ନ ୩ଟାରୁ ୫ଟା ଯାଏଁ ଶ୍ରେଣୀ ଅନୁଷ୍ଠିତ ହେବ। ପ୍ରତି ବ୍ୟାଚ୍‌ରେ ସର୍ବାଧିକ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାର ସୁଯୋଗ ମିଳିବ।

ଏହି ପାଠ୍ୟକ୍ରମରେ ଆୟୁର୍ବେଦର ଗର୍ଭିଣୀ ପରିଚର୍ଯ୍ୟା, ସୂତିକା ପରିଚର୍ଯ୍ୟା ଏବଂ ଗର୍ଭାଧାନ ବିଧି ଭଳି ପାରମ୍ପରିକ ଧାରଣାକୁ ଆଧାର କରାଯାଇଛି।

ପ୍ରଶିକ୍ଷଣରେ ଗର୍ଭାବସ୍ଥାର ବିଭିନ୍ନ ତ୍ରୈମାସିକ ଅନୁଯାୟୀ ଖାଦ୍ୟ ଓ ପୋଷଣ, ଜୀବନଶୈଳୀରେ ପରିବର୍ତ୍ତନ, ଗର୍ଭାବସ୍ଥାରେ ସୁରକ୍ଷିତ ଯୋଗ, ପ୍ରସବ ସମୟରେ ଭାବନାତ୍ମକ ସହାୟତା, ନବଜାତ ଶିଶୁର ମାଲିସ୍‌ ଏବଂ ମୌଳିକ ଜୀବନରକ୍ଷା ପ୍ରୋଟୋକଲ୍‌ ଭଳି ବିଷୟ ସାମିଲ ରହିଛି।

ଏହା ବ୍ୟତୀତ ସଂକ୍ରମଣ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ବାୟୋମେଡିକାଲ୍‌ ୱେଷ୍ଟ୍‌ ପରିଚାଳନା ଓ କାର୍ଯ୍ୟସ୍ଥଳ ସୁରକ୍ଷା ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ।

ଭାରତର ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ Senior Secondary (୧୦+୨) ପରୀକ୍ଷା ପାସ୍‌ କରିଥିବା ଏବଂ ଅତିକମରେ ୧୮ ବର୍ଷ ବୟସ ହୋଇଥିବା ପ୍ରାର୍ଥୀ ଏହି କୋର୍ସ ପାଇଁ ଆବେଦନ କରିପାରିବେ। ଦ୍ୱାଦଶ ଶ୍ରେଣୀର ଫଳାଫଳକୁ ଅପେକ୍ଷା କରିଥିବା ପ୍ରାର୍ଥୀମାନେ ମଧ୍ୟ ପ୍ରୋଭିଜନାଲ୍‌ ଭାବେ ଆବେଦନ କରିପାରିବେ।

କୋର୍ସ ସମ୍ପୂର୍ଣ୍ଣ କରିବା ପରେ ପ୍ରାର୍ଥୀମାନେ ଗର୍ଭିଣୀ ମିତ୍ର ଆସିଷ୍ଟାଣ୍ଟ, ପ୍ରିନେଟାଲ୍‌ ଓ ପୋଷ୍ଟନେଟାଲ୍‌ କେୟାର ଆସିଷ୍ଟାଣ୍ଟ, ଆଣ୍ଟିନେଟାଲ୍‌ ୱେଲନେସ୍‌ ଗାଇଡ୍‌ ଏବଂ ମାତୃ ସ୍ୱାସ୍ଥ୍ୟ ସହାୟତା କର୍ମୀ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇପାରିବେ।

ଆୟୁଷ କେନ୍ଦ୍ର, ମାଟର୍ନିଟି କ୍ଲିନିକ୍‌, NGO, କମ୍ୟୁନିଟି ହେଲ୍ଥ୍‌ ପ୍ରୋଜେକ୍ଟ ଓ ୱେଲନେସ୍‌ ସଂସ୍ଥାଗୁଡ଼ିକରେ ସମ୍ଭାବ୍ୟ ରୋଜଗାର ସୁଯୋଗ ରହିଥିବା AIIA କହିଛି।

ତେବେ AIIA ସ୍ପଷ୍ଟ କରିଛି ଯେ, ‘ଗର୍ଭିଣୀ ମିତ୍ର’ କ୍ଲିନିକାଲ୍‌ ଆଣ୍ଟିନେଟାଲ୍‌ କେୟାରର ବିକଳ୍ପ ନୁହେଁ। ନିୟମିତ ଡାକ୍ତରୀ ପରୀକ୍ଷା, ଆବଶ୍ୟକ ଡାଏଗ୍ନୋଷ୍ଟିକ୍‌ ଟେଷ୍ଟ, ବ୍ଲଡ୍‌ ପ୍ରେସର ଓ ହିମୋଗ୍ଲୋବିନ୍‌ ଭଳି ସ୍ୱାସ୍ଥ୍ୟ ସୂଚକର ନିରୀକ୍ଷଣ ଜାରି ରହିବ। ପ୍ରଶିକ୍ଷିତ ଗର୍ଭିଣୀ ମିତ୍ରମାନେ ବିପଦର ଲକ୍ଷଣ ଚିହ୍ନଟ କରି ଆବଶ୍ୟକ ସମୟରେ ଯୋଗ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେଫର କରିବାରେ ସହାୟତା କରିବେ।

You may also like

Leave a Comment