ଓଡ଼ିଶାର ବିକାଶରେ କେନ୍ଦ୍ରର ସହଯୋଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ; ରେଳ, ସଡ଼କ, ବନ୍ଦର ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଗତିର ହିସାବ ଦେଲେ ମୋହନ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ଏକ ଅଭିନନ୍ଦନ ସୂଚକ ସଂକଳ୍ପ ପାରିତ ହୋଇଛି। ଅକ୍ଟୋବର ୭ ତାରିଖରେ ମୋଦୀ ଜଣେ ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଥିବା ବେଳେ ଏହି ଅବସରରେ ତାଙ୍କର ନେତୃତ୍ୱ, ପ୍ରଶାସନିକ ଅଭିଜ୍ଞତା ଓ ଜନସେବାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୪ ମେ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମୋଦୀ ଭିତ୍ତିଭୂମି ବିକାଶ, ଶିଳ୍ପାୟନ, ଆତ୍ମନିର୍ଭରତା ଓ ଗରିବ କଲ୍ୟାଣ ଉପରେ ଗୁରୁତ୍ୱ ଦେଇଆସୁଛନ୍ତି। ମହିଳା, କୃଷକ, ଗରିବ ଓ ଯୁବବର୍ଗର ସଶକ୍ତିକରଣକୁ ବିକଶିତ ଭାରତ ୨୦୪୭ର ମୂଳ ଆଧାର ଭାବେ ଗ୍ରହଣ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି।
ଓଡ଼ିଶାର ବିକାଶରେ କେନ୍ଦ୍ର ସରକାରଙ୍କ ଅବଦାନ ସମ୍ପର୍କରେ ତଥ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୪ ପରଠାରୁ ରାଜ୍ୟରେ ୨,୨୩୬ କିଲୋମିଟର ନୂଆ ରେଳପଥ ନିର୍ମାଣ ହୋଇଛି। ଏହାସହ ଶତ ପ୍ରତିଶତ ରେଳ ବିଦ୍ୟୁତକରଣ ହାସଲ କରାଯାଇଛି।
ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷାରେ ଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ନିକଟତର ହୋଇଛି। ସେହିପରି ୬ଟି ବନ୍ଦେ ଭାରତ ଟ୍ରେନ୍ ଓଡ଼ିଶାର ୧୭ଟି ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ୫୯ଟି ରେଳ ଷ୍ଟେସନ୍ର ପୁନର୍ବିକାଶ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।
ରାଜ୍ୟର ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୧୧୧ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପକୁ ୮,୩୦୮ କୋଟି ଟଙ୍କାର ମଞ୍ଜୁରୀ ମିଳିଛି।
ସେହିପରି ପ୍ରାୟ ୮,୩୦୦ କୋଟି ଟଙ୍କା ବ୍ୟୟରେ ୧୬୦ କିଲୋମିଟରରୁ ଅଧିକ ଦୀର୍ଘ ଗ୍ରୀନ୍ଫିଲ୍ଡ ଉପକୂଳ ରାଜପଥ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପ ଉପକୂଳ ଓଡ଼ିଶାର ଯୋଗାଯୋଗ ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ନୂଆ ଗତି ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ଓଡ଼ିଶାର ସାମୁଦ୍ରିକ ଭିତ୍ତିଭୂମି ବିକାଶ ପାଇଁ ଗଞ୍ଜାମର ବାହୁଦା ମୁହାଣରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଗଭୀର ସମୁଦ୍ର ବନ୍ଦର ଏବଂ କେନ୍ଦ୍ରାପଡ଼ାରେ ୨୪,୭୦୦ କୋଟି ଟଙ୍କାର ଜାହାଜ ନିର୍ମାଣ ଓ ମରାମତି କ୍ଲଷ୍ଟରକୁ ମଞ୍ଜୁରୀ ମିଳିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହାସହ ପାରାଦୀପ ତୈଳ ବିଶୋଧନାଗାରର ସମ୍ପ୍ରସାରଣ, ପେଟ୍ରୋକେମିକାଲ୍ ଅଞ୍ଚଳର ବିକାଶ ଏବଂ ଚଣ୍ଡିଖୋଲରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ପ୍ରକଳ୍ପ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ବ୍ରହ୍ମପୁରରେ ଆଇଜର୍ ଏବଂ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ରାଜ୍ୟର ଉଚ୍ଚଶିକ୍ଷାକୁ ନୂଆ ପରିଚୟ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କର ଗ୍ରୀନ୍ ଡାଟା ସେଣ୍ଟର, ଇନଫୋଭ୍ୟାଲିରେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂ କ୍ଲଷ୍ଟର ଏବଂ ସେମିକଣ୍ଡକ୍ଟର ଶିଳ୍ପର ବିକାଶକୁ ନେଇ ମଧ୍ୟ ରାଜ୍ୟରେ ନିବେଶ ସମ୍ଭାବନା ବୃଦ୍ଧି ପାଉଥିବା ସେ ଉଲ୍ଲେଖ କରିଛନ୍ତି। ଏଥିସହ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଆଧୁନିକୀକରଣ ଓ ତାଳଚେରରେ କୋଇଲା ଗ୍ୟାସିଫିକେସନ୍ ମାଧ୍ୟମରେ ସାର ଉତ୍ପାଦନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବ। ଏହି ଐତିହାସିକ ଅବସରକୁ ଦୃଷ୍ଟିରେ ରଖି ସମୃଦ୍ଧ ଓଡ଼ିଶା ୨୦୩୬ ଓ ବିକଶିତ ଓଡ଼ିଶା ୨୦୪୭ ପାଇଁ ଦୀର୍ଘମିଆଦୀ ଭିଜନ ପ୍ରସ୍ତୁତ କରାଯାଇଛି।
ନୀତି ଆୟୋଗ ସହଯୋଗରେ ପ୍ରସ୍ତୁତ ଏହି ଭିଜନକୁ ସାକାର କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ରହିଥିବା ସେ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ଶାସନ ମୁଖ୍ୟ ଭାବେ କାର୍ଯ୍ୟକାଳକୁ ଏକ ବିଶେଷ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ସଂକଳ୍ପ ପାରିତ ହୋଇଥିବାରୁ ସମସ୍ତ ମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
