ହିନ୍ଦୀ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ମଧୁବାଲାଙ୍କ ଜୀବନକୁ ନେଇ ତିଆରି ହେବାକୁ ଯାଉଛି ଏକ ବାୟୋପିକ୍। ଏହି ପ୍ରକଳ୍ପ ସହ ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ଯୋଡ଼ିଥିବା ବେଳେ, ସାରା ଅର୍ଜୁନ ମଧୁବାଲାଙ୍କ ଚରିତ୍ରରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି।ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ‘ଡାର୍ଲିଙ୍ଗସ୍’ ପାଇଁ ପରିଚିତ ଜସମିତ କେ ରୀନଙ୍କ ହାତରେ ରହିଛି। ତେବେ ଏଯାଏ ଫିଲ୍ମର ଅନ୍ତିମ ଟାଇଟଲ୍ ଘୋଷଣା ହୋଇନାହିଁ। ଯୋଜନା ଅନୁସାରେ ସେପ୍ଟେମ୍ବରରୁ ଏହାର କାମ ଆରମ୍ଭ ହୋଇପାରେ।
ସଞ୍ଜୟ ଲୀଲା ଭନସାଲୀ ବର୍ତ୍ତମାନ ‘ଲଭ୍ ଆଣ୍ଡ୍ ୱାର୍’ର କାମରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର କାମ ଶେଷ ହେବା ପରେ ମଧୁବାଲା ବାୟୋପିକ୍ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ଆର୍ଥିକ କାରଣରୁ ପ୍ରକଳ୍ପଟି କିଛି ସମୟ ପାଇଁ ଅଟକି ରହିଥିଲା। ପରେ ଭନସାଲୀ ପ୍ରଯୋଜକ ଭାବେ ଯୋଡ଼ି ହେବା ପରେ ଏହା ପୁଣି ଗତି ପାଇଥିବା କୁହାଯାଉଛି।ଏପଟେ ମଧୁବାଲାଙ୍କ ଚରିତ୍ର ପାଇଁ ସାରା ଅର୍ଜୁନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମଧୁବାଲାଙ୍କ ବ୍ୟକ୍ତିତ୍ୱ, ତାଙ୍କ ଜୀବନଶୈଳୀ ଓ ସେ ସମୟର ପରିବେଶକୁ ଚରିତ୍ରରେ ଫୁଟାଇବା ପାଇଁ ଅଭିନେତ୍ରୀ ପ୍ରସ୍ତୁତି ନେଉଥିବା ସୂଚନା ମିଳିଛି।
ସାରା ଅର୍ଜୁନ ପୂର୍ବରୁ ‘ଧୁରନ୍ଧର’ ଫ୍ରାଞ୍ଚାଇଜ୍ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ମଧୁବାଲାଙ୍କ ଭଳି ଜଣେ କିମ୍ବଦନ୍ତୀ ଅଭିନେତ୍ରୀଙ୍କ ଭୂମିକା ତାଙ୍କ କ୍ୟାରିୟରରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି।
