ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬’ ପାଳନ କରାଯିବ। ଏହି ଅବସରରେ ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ପରିବାର, ସମାଜ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଦେଶବ୍ୟାପୀ ଅଭିଯାନ ଚାଲିବ।
ଚଳିତ ବର୍ଷର ଥିମ୍ ରହିଛି “ଜୀବନର ସୁସ୍ଥ ଆରମ୍ଭ ପାଇଁ ସ୍ତନ୍ୟପାନ: ସଫଳ ପଦକ୍ଷେପକୁ ଆହୁରି ସୁଦୃଢ଼ କରନ୍ତୁ”। ଏହି ଅଭିଯାନରେ ଶିଶୁ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିବା, ପ୍ରଥମ ଛଅ ମାସ କେବଳ ମା’ କ୍ଷୀର ପିଆଇବା ଏବଂ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଉପଯୁକ୍ତ ସମ୍ପୂରକ ଖାଦ୍ୟ ସହ ସ୍ତନ୍ୟପାନ ଜାରି ରଖିବା ଉପରେ ଗୁରୁତ୍ୱ ଦିଆଯିବ।
ବିଶେଷଜ୍ଞମାନଙ୍କ ମତରେ, ସ୍ତନ୍ୟପାନ ଶିଶୁର ସୁସ୍ଥ ବିକାଶ, ମସ୍ତିଷ୍କର ବୃଦ୍ଧି ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର ସବୁଠାରୁ ପ୍ରଭାବଶାଳୀ ଉପାୟ। ଜନ୍ମର ପ୍ରଥମ ଘଣ୍ଟାକୁ ‘ଗୋଲ୍ଡେନ୍ ଆୱର୍’ ବୋଲି କୁହାଯାଏ ଏବଂ ଏହି ସମୟରେ ସ୍ତନ୍ୟପାନ ଆରମ୍ଭ କରିବା ଅତ୍ୟନ୍ତ ଜରୁରୀ।
ମନ୍ତ୍ରଣାଳୟ କହିଛି, ପ୍ରସବ ପରେ ବାହାରୁଥିବା ପ୍ରଥମ କ୍ଷୀର ‘କୋଲଷ୍ଟ୍ରମ୍’ ଶିଶୁ ପାଇଁ ଅମୃତ ସମାନ। ଏଥିରେ ଥିବା ପ୍ରଚୁର ରୋଗ ପ୍ରତିରୋଧକ ଉପାଦାନ ଓ ପୋଷକତତ୍ତ୍ୱ ନବଜାତ ଶିଶୁକୁ ସଂକ୍ରମଣରୁ ସୁରକ୍ଷା ଦେଇଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ପ୍ରଥମ ଛଅ ମାସ ଶିଶୁକୁ କେବଳ ମା’ କ୍ଷୀର ଦେବା ଉଚିତ। ଏହି ସମୟରେ ପାଣି, ମହୁ, ଘୁଟି, ଗ୍ଲୁକୋଜ୍ କିମ୍ବା ଫର୍ମୁଲା ଦୁଗ୍ଧ ଦେବାର ଆବଶ୍ୟକତା ନାହିଁ। ମା’ କ୍ଷୀର ହିଁ ଶିଶୁର ସମସ୍ତ ପୋଷଣ ଓ ଜଳର ଆବଶ୍ୟକତା ପୂରଣ କରିଥାଏ।
ଛଅ ମାସ ପରେ ସ୍ତନ୍ୟପାନ ଜାରି ରଖିବା ସହ ବୟସ ଅନୁଯାୟୀ ସମ୍ପୂରକ ଖାଦ୍ୟ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରସବ ପରେ ମା’ ଓ ଶିଶୁଙ୍କ ମଧ୍ୟରେ ତ୍ୱଚା ସହ ତ୍ୱଚାର ସ୍ପର୍ଶ (Skin-to-Skin Contact), ବାରମ୍ବାର ସ୍ତନ୍ୟପାନ ଏବଂ ଆବଶ୍ୟକ ପଡ଼ିଲେ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ନେବାକୁ କୁହାଯାଇଛି। କାର୍ଯ୍ୟରତ ମା’ମାନେ କ୍ଷୀର ସଂଗ୍ରହ କରି ସୁରକ୍ଷିତ ଭାବେ ଶିଶୁକୁ ପିଆଇପାରିବେ ବୋଲି ମଧ୍ୟ ପରାମର୍ଶ ଦିଆଯାଇଛି।
ଏହି ଅଭିଯାନରେ ସ୍ତନ୍ୟପାନ ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କେତେ ଉପକାରୀ, ତାହା ଉପରେ ଗୁରୁତ୍ୱ ଦିଆଯିବ। ଏହା ପ୍ରସବ ପରବର୍ତ୍ତୀ ସୁସ୍ଥତା ବଢ଼ାଇବା ସହ ସ୍ତନ କର୍କଟ, ଡିମ୍ବାଶୟ କର୍କଟ, ଟାଇପ୍–୨ ମଧୁମେହ ଏବଂ ପ୍ରସବ ପରବର୍ତ୍ତୀ ଅବସାଦର ଆଶଙ୍କା କମାଇବାରେ ସହାୟକ ବୋଲି ମନ୍ତ୍ରଣାଳୟ କହିଛି।
ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ସାମାଜିକ ସଂଗଠନ, ପରିବାର ଏବଂ ସାଧାରଣ ନାଗରିକଙ୍କୁ ସ୍ତନ୍ୟପାନ ପାଇଁ ସହଯୋଗୀ ପରିବେଶ ସୃଷ୍ଟି କରି ପ୍ରତ୍ୟେକ ଶିଶୁକୁ ସୁସ୍ଥ ଜୀବନର ଶୁଭାରମ୍ଭ ଦେବାକୁ ଆହ୍ୱାନ ଜଣାଇଛି।
