ରାପ ପାଗ ଯୋଗୁଁ ସୋମବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବ୍ୟାହତ ହୋଇଛି। ପ୍ରବଳ ବର୍ଷା, ଘଡ଼ଘଡ଼ି, ବଜ୍ରପାତ ଓ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ଯୋଗୁଁ ଅତି କମରେ ୧୫ଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଛି।
ଏୟାରପୋର୍ଟ ଅଧିକାରୀଙ୍କ ଅନୁସାରେ, ୧୨ଟି ବିମାନକୁ ଜୟପୁର, ୨ଟିକୁ ଚଣ୍ଡିଗଡ଼ ଏବଂ ଗୋଟିଏ ବିମାନକୁ ଲକ୍ଷ୍ନୌ ଡାଇଭର୍ଟ କରାଯାଇଛି।
ଖରାପ ପାଗ ଯୋଗୁଁ ବିମାନ ଚଳାଚଳରେ ବିଳମ୍ବ ହେବା ସହ କିଛି ବିମାନ ବାତିଲ୍ ମଧ୍ୟ ହୋଇଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24ର ତଥ୍ୟ ଅନୁସାରେ, ଦିଲ୍ଲୀ ବିମାନବନ୍ଦରରେ ୨୮୦ରୁ ଅଧିକ ବିମାନ ବିଳମ୍ବିତ ହୋଇଥିବା ବେଳେ ୨୦ରୁ ଅଧିକ ବିମାନ ବାତିଲ୍ ହୋଇଛି।
ରାଜଧାନୀର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି, ବଜ୍ରପାତ ଏବଂ ଜୋର ପବନର ସମ୍ଭାବନା ରହିଥିଲା। ଏହାର ପ୍ରଭାବରେ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି।
ଏୟାରଲାଇନ୍ଗୁଡ଼ିକ ମଧ୍ୟ ଯାତ୍ରୀମାନଙ୍କୁ ପାଗ ସମ୍ପର୍କିତ ସୂଚନା ଉପରେ ନଜର ରଖିବାକୁ କହିଛନ୍ତି। IndiGo ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀର ଖରାପ ପାଗ ବିମାନ ସୂଚୀକୁ ପ୍ରଭାବିତ କରିଛି ଏବଂ ପରିସ୍ଥିତି ଉପରେ ଏୟାରଲାଇନ୍ ନଜର ରଖିଛି। Air India ମଧ୍ୟ ଦିଲ୍ଲୀରୁ ଓ ଦିଲ୍ଲୀକୁ ଯାଉଥିବା ବିମାନ ଚଳାଚଳ ଖରାପ ପାଗ ଯୋଗୁଁ ପ୍ରଭାବିତ ହୋଇପାରେ ବୋଲି ସୂଚନା ଦେଇଛି।
ଦିଲ୍ଲୀର IGIA ଦେଶର ସବୁଠାରୁ ବ୍ୟସ୍ତ ବିମାନବନ୍ଦର ମଧ୍ୟରୁ ଅନ୍ୟତମ। ଏଠାରେ ପ୍ରତିଦିନ ୧,୩୦୦ରୁ ଅଧିକ ବିମାନ ଚଳାଚଳ କରିଥାଏ। ତେଣୁ ଖରାପ ପାଗ ଯୋଗୁଁ ବିମାନ ଚଳାଚଳ ବ୍ୟାହତ ହେବାରୁ ବହୁ ସଂଖ୍ୟକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି।
