ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା-୨୦୨୬କୁ ନେଇ ଓଡ଼ିଶା ପୁଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ବିସ୍ତୃତ ରଣନୀତି ପ୍ରସ୍ତୁତ କରାଯାଇଥିଲା।
ବୈଠକରେ ଡିଜିପି ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ରଥଯାତ୍ରା ସମୟରେ ସୁରକ୍ଷା ଓ ଭିଡ଼ ପରିଚାଳନା କ୍ଷେତ୍ରରେ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ସମସ୍ତ ବ୍ୟବସ୍ଥା ଉପରେ କଡ଼ା ନଜର ରଖିବା ସହ ତୃଣମୂଳ ସ୍ତରରେ ଉତ୍ତମ ସମନ୍ୱୟରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୬ ଜୁଲାଇରେ ରଥଯାତ୍ରା, ୨୪ ଜୁଲାଇରେ ବାହୁଡ଼ା ଯାତ୍ରା ଏବଂ ୨୫ ଜୁଲାଇରେ ସୁନାବେଶ ଅବସରରେ ଲକ୍ଷ ଲକ୍ଷ ଭକ୍ତ ପୁରୀରେ ସମାଗମ କରିବେ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ ସୁଦୃଢ଼ କରାଯାଉଛି।
ଅତିରିକ୍ତ ପାର୍କିଂ, କ୍ରାକ୍ ଟିମ୍ ଓ କ୍ଲିୟରେନ୍ସ ପାର୍ଟି ମୁତୟନ
ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏଥର ଆଠଟି ଅତିରିକ୍ତ ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ରଥ ଟାଣିବା ସମୟରେ ରଥଗୁଡ଼ିକର ସୁରୁଖୁରୁ ଗତିବିଧି ସୁନିଶ୍ଚିତ କରିବାକୁ ସ୍ୱତନ୍ତ୍ର କ୍ଲିୟରେନ୍ସ ପାର୍ଟି ମୁତୟନ କରାଯିବ।
ସେହିପରି, ଅଧିକ ଭିଡ଼ ଥିବା ସ୍ଥାନଗୁଡ଼ିକରେ କ୍ରାକ୍ ଟିମ୍ ନିଯୁକ୍ତ କରାଯିବ। ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଅତିରିକ୍ତ ସିସିଟିଭି କ୍ୟାମେରା ସ୍ଥାପନ କରାଯିବା ସହ ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ କରିବା ପାଇଁ ରୋଡ୍ ଡିଭାଇଡର, ଡିଲିନେଟର ଓ ସ୍ୱତନ୍ତ୍ର ଟ୍ରାଫିକ ଜୋନ୍ ସୃଷ୍ଟି କରାଯିବ।
ହୋଟେଲ ଓ ଲଜ୍ର ନିୟମିତ ଯାଞ୍ଚ, ଅପରାଧୀଙ୍କ ଉପରେ କଡ଼ା ନଜର
ଡିଜିପି ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ଥାନା ଅଞ୍ଚଳରେ ସ୍ୱତନ୍ତ୍ର ଅଭିଯାନ ଚାଲାଇ ହୋଟେଲ ଓ ଲଜ୍ଗୁଡ଼ିକର ନିୟମିତ ଯାଞ୍ଚ କରାଯାଉ।
ବାହାର ରାଜ୍ୟରୁ ଆସୁଥିବା ଅଭ୍ୟାସଗତ ଅପରାଧୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ଫଟୋ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡର ଏଲଇଡି ସ୍କ୍ରିନ୍ରେ ପ୍ରଦର୍ଶିତ କରାଯିବ, ଯାହା ଫଳରେ ସେମାନଙ୍କ ଉପରେ ନିରନ୍ତର ନଜର ରଖାଯାଇପାରିବ।
ସମୁଦ୍ରତଟରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା
ରଥଯାତ୍ରା ସମୟରେ ପୁରୀ ସମୁଦ୍ରତଟ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ବୃଦ୍ଧି କରାଯିବ ଏବଂ ଅସ୍ଥାୟୀ ପୁଲିସ ଆଉଟ୍ପୋଷ୍ଟ ସ୍ଥାପନ କରାଯିବ।
ସେହିପରି, ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ରେଳ ଷ୍ଟେସନଗୁଡ଼ିକରେ ରେଳ ପୁଲିସ ଓ ଆରପିଏଫ୍ ସହ ସମନ୍ୱୟ ରଖି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ।
ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା, ସୁବିଧା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ପୁଲିସ ଏହି ସମସ୍ତ ପଦକ୍ଷେପ ଗ୍ରହଣ କରୁଛି।
