ନୂଆଦିଲ୍ଲୀ, ୧ ଅକ୍ଟୋବର ୨୦୨୬: ମହାନଦୀ ଜଳ ବିବାଦର ସମାଧାନ ନେଇ ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଆଲୋଚନାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ସହ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଷ୍ଣୁଦେବ ସାଏ ଯୋଗ ଦେଇଥିଲେ।
ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଥିବା ବେଳେ ଏଥିରେ ସକାରାତ୍ମକ ଅଗ୍ରଗତି ହୋଇଛି। ମହାନଦୀ ଜଳ ବିବାଦର ସମାଧାନ ଧୀରେ ଧୀରେ ନିକଟତର ହେଉଛି ଏବଂ ଖୁବଶୀଘ୍ର ଏହାର ଚୂଡ଼ାନ୍ତ ରୂପରେଖା ସାମ୍ନାକୁ ଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଉଭୟ ଓଡ଼ିଶା ଓ ଛତିଶଗଡ଼ର ସ୍ୱାର୍ଥକୁ ଧ୍ୟାନରେ ରଖି ସମାଧାନର ପଥ ବାହାର କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରକ୍ରିୟା ଆଗକୁ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ଜଳ ବିବାଦର ସମାଧାନ ପାଇଁ ଏକ ମଡେଲ୍ ହୋଇପାରେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ମହାନଦୀକୁ ଓଡ଼ିଶାର ଜୀବନରେଖା ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କୋଟି କୋଟି ଲୋକଙ୍କ ଜୀବନଜୀବିକା ମହାନଦୀ ସହ ଜଡ଼ିତ। ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳବିଦ୍ୟୁତ ଉତ୍ପାଦନ, ପାନୀୟ ଜଳ ଯୋଗାଣ ଓ ପରିବେଶ ଭଳି ବିଭିନ୍ନ ପ୍ରସଙ୍ଗ ବୈଠକରେ ଉଠାଯାଇଥିବା ସେ କହିଛନ୍ତି। ଓଡ଼ିଶାକୁ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ୨୦୨୫ ଜୁଲାଇ-ଅଗଷ୍ଟରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଜଳସମ୍ପଦ ସଚିବ ସ୍ତରରେ ଏକାଧିକ ବୈଠକ ହୋଇଛି। ଏହାସହ ଗତ ଜୁଲାଇରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଧ୍ୟ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା।
ସେହି ବୈଠକର ନିଷ୍ପତ୍ତି ଅନୁସାରେ ଉଭୟ ରାଜ୍ୟର ଜଳ ଆବଶ୍ୟକତା ସହ ବିଭିନ୍ନ ତଥ୍ୟ ଓ ସୂଚନା କେନ୍ଦ୍ରୀୟ ଜଳ ଆୟୋଗକୁ ଦିଆଯାଉଛି। ତିନି ମାସ ମଧ୍ୟରେ ସମାଧାନର ଏକ ପଥ ବାହାର କରିବା ନେଇ ପୂର୍ବ ବୈଠକରେ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ମଧ୍ୟରେ ଦୁଇ ମାସ ବିତିଥିବା ବେଳେ ଆଲୋଚନା ପ୍ରକ୍ରିୟାରେ ଆଶାନୁରୂପ ଅଗ୍ରଗତି ହୋଇଥିବା ସେ ପ୍ରକାଶ କରିଛନ୍ତି।
ମହାନଦୀ ବିବାଦର ସମାଧାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜେ ପଦକ୍ଷେପ ନେଇ ଆଲୋଚନାକୁ ଆଗକୁ ବଢ଼ାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ଜଳଶକ୍ତି ମନ୍ତ୍ରାଳୟ, କେନ୍ଦ୍ରୀୟ ଜଳ ଆୟୋଗ ସମେତ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
