Home Featuredଅପରାଜିତା ଷଡ଼ଙ୍ଗୀଙ୍କ ୭ ବର୍ଷର ରିପୋର୍ଟ କାର୍ଡ

ଅପରାଜିତା ଷଡ଼ଙ୍ଗୀଙ୍କ ୭ ବର୍ଷର ରିପୋର୍ଟ କାର୍ଡ

by Sunita Jena
0 comments

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ୭ ବର୍ଷର କାର୍ଯ୍ୟକାଳର ଏକ ୬୦ ପୃଷ୍ଠାର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ଏଥିରେ ସାଂସଦୀୟ କ୍ଷେତ୍ରରେ ହୋଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ, ଭବିଷ୍ୟତ ଯୋଜନା ଓ ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପର ତଥ୍ୟ ରହିଛି।ସାଂସଦଙ୍କ ଅନୁସାରେ, ଏହି ସମୟ ମଧ୍ୟରେ ପ୍ରାୟ ୫୫ ପ୍ରକାରର କାର୍ଯ୍ୟ ହୋଇଛି। ଭୁବନେଶ୍ୱରର ଟ୍ରାଫିକ୍ ସମସ୍ୟା ହ୍ରାସ ପାଇଁ ୧୦ଟି ଫୁଟ୍ ଓଭରବ୍ରିଜ୍, ୭ଟି ଫ୍ଲାଏଓଭର ଓ ୧୬ଟି ଅଣ୍ଡରପାସ୍ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ଉପରେ ଗୁରୁତ୍ୱ ଦିଆଯାଇଛି। ପଳାଶୁଣୀ ଅଞ୍ଚଳରେ ସର୍ଭିସ୍ ରୋଡ୍ ସହ ପଳାଶୁଣୀ-ରସୁଲଗଡ଼ ମଧ୍ୟରେ ଫୁଟ୍ ଓଭରବ୍ରିଜ୍ ଓ ସ୍କାଏୱାକ୍ ଯୋଜନା ମଧ୍ୟ ଉଲ୍ଲେଖ କରାଯାଇଛି।

ଏହାସହ ୧୧୧ କିଲୋମିଟର ଦୀର୍ଘ ୬ ଲେନ୍ ରାସ୍ତା ନିର୍ମାଣ ଦ୍ୱାରା ତିନୋଟି ଜିଲ୍ଲା ଲାଭବାନ ହେବାର ଆଶା ରହିଥିବା ସାଂସଦ କହିଛନ୍ତି। ସହରର ଆଲୋକୀକରଣ ଓ ପାନୀୟ ଜଳ ବ୍ୟବସ୍ଥାକୁ ମଧ୍ୟ ରିପୋର୍ଟରେ ସ୍ଥାନ ଦିଆଯାଇଛି। ୭,୫୦୦ ସୋଲାର ଲାଇଟ୍ ଏବଂ ବିଭିନ୍ନ ମନ୍ଦିର ଓ ମାର୍କେଟ୍ କମ୍ପ୍ଲେକ୍ସରେ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଥିବା ଦାବି କରାଯାଇଛି।ପାଣ୍ଡରା ଛକରେ ପ୍ରାୟ ୫୭ କୋଟି ଟଙ୍କା ବ୍ୟୟରେ ଆଧୁନିକ ହୋଲସେଲ୍ ଫିସ୍ ମାର୍କେଟ୍ ଏବଂ ୬୩୦ କୋଟି ଟଙ୍କା ବ୍ୟୟରେ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ ସ୍ଥାପନ ପାଇଁ ଯୋଜନା ରହିଥିବା ରିପୋର୍ଟରେ କୁହାଯାଇଛି।

ଶିକ୍ଷା କ୍ଷେତ୍ରରେ ପ୍ରତି ବ୍ଲକରେ ଲାଇବ୍ରେରୀ ସ୍ଥାପନ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପ୍ରତି ମାସରେ ଚାରିଥର ଜନଶୁଣାଣି କରାଯାଉଥିବା ଏବଂ ବିଭିନ୍ନ ଅଞ୍ଚଳରେ ୧୧୫ଟି ଜନ ଔଷଧି କେନ୍ଦ୍ର ରହିଥିବା ସାଂସଦ ସୂଚନା ଦେଇଛନ୍ତି।ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଛନ୍ତି। ମେଟ୍ରୋ ନେଇ ସରକାରଙ୍କ ଆଭିମୁଖ୍ୟ ସକାରାତ୍ମକ ଥିବା ଏବଂ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ସାଂସଦ ଦାବି କରିଛନ୍ତି।

ଭୁବନେଶ୍ୱରର ବିକାଶ ପାଇଁ ସେ ନିଜ ତରଫରୁ ସମ୍ପୂର୍ଣ୍ଣ ପ୍ରୟାସ କରୁଥିବା କହିବା ସହ ନିଜ କାର୍ଯ୍ୟର ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ରିପୋର୍ଟ କାର୍ଡର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାଇଛନ୍ତି। ଶେଷରେ ନିଜ କାର୍ଯ୍ୟକାଳରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

You may also like

Leave a Comment