ଓଡ଼ିଶା ପୁଲିସ ବିଭାଗ ପାଇଁ ଏକ ଦୁଃଖଦ ଖବର। କ୍ରାଇମବ୍ରାଞ୍ଚ ସିଆଇଡିର ଆଇଜି ସଫିନ ଅହମ୍ମଦଙ୍କର ଅକାଳ ବିୟୋଗ ଘଟିଛି। ଦୀର୍ଘଦିନ ଧରି କର୍କଟ ରୋଗରେ ଚିକିତ୍ସାଧୀନ ଥିବା ସଫିନ ଅହମ୍ମଦ କେରଳର ତିରୁବନନ୍ତପୁରମସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି।
୨୦୦୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ସଫିନ ଅହମ୍ମଦ ଓଡ଼ିଶା ପୁଲିସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ୨୦୨୩ ଜୁଲାଇରୁ ସେ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱରେ ଥିଲେ। ଅପରାଧ ତଦନ୍ତ, ସାଇବର ଅପରାଧ ନିୟନ୍ତ୍ରଣ ଓ ଅନୁସନ୍ଧାନ କ୍ଷେତ୍ରରେ ତାଙ୍କର ଭୂମିକା ଉଲ୍ଲେଖନୀୟ ରହିଥିଲା। କାର୍ଯ୍ୟଦକ୍ଷତା ପାଇଁ ସେ ଏକାଧିକ ପଦକ ଓ ସମ୍ମାନ ମଧ୍ୟ ପାଇଥିଲେ।
ତାଙ୍କ ବିୟୋଗ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ପୁଲିସ ବିଭାଗ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ତାଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବରିଷ୍ଠ ନେତୃବୃନ୍ଦ ଓ ପୁଲିସ ଅଧିକାରୀମାନେ ମଧ୍ୟ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଦିବଙ୍ଗତ ଅଧିକାରୀଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି। ସଫିନ ଅହମ୍ମଦଙ୍କ ଅକାଳ ବିୟୋଗ ଓଡ଼ିଶା ପୁଲିସ ଓ ତାଙ୍କ ସହକର୍ମୀଙ୍କ ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି।
