Home Odishaଓଡ଼ିଶାରେ ୧୦ ଗିଗାୱାଟ୍ ସୋଲାର ପ୍ରକଳ୍ପ କରିବ ଟାଟା ପାୱାର, ଖୁବଶୀଘ୍ର ହେବ ବଡ଼ ଘୋଷଣା

ଓଡ଼ିଶାରେ ୧୦ ଗିଗାୱାଟ୍ ସୋଲାର ପ୍ରକଳ୍ପ କରିବ ଟାଟା ପାୱାର, ଖୁବଶୀଘ୍ର ହେବ ବଡ଼ ଘୋଷଣା

by Shubham Kumar
0 comments

ଓଡ଼ିଶାରେ ବଡ଼ ନିବେଶ କରିବାକୁ ଯାଉଛି ଟାଟା ପାୱାର। କମ୍ପାନୀ ଖୁବଶୀଘ୍ର ରାଜ୍ୟରେ ୧୦ ଗିଗାୱାଟ୍ କ୍ଷମତା ବିଶିଷ୍ଟ ସୋଲାର ଉତ୍ପାଦନ ପ୍ରକଳ୍ପ ସ୍ଥାପନ ପାଇଁ ଘୋଷଣା କରିବ ବୋଲି ସୂଚନା ମିଳିଛି। ଏହା ଦ୍ୱାରା ଓଡ଼ିଶାରେ ସବୁଜ ଶକ୍ତି କ୍ଷେତ୍ରରେ ବଡ଼ ଅଗ୍ରଗତି ହେବ ବୋଲି ଆଶା କରାଯାଉଛି।

ଟାଟା ପାୱାରର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ ବାର୍ଷିକ ସାଧାରଣ ବୈଠକରେ କହିଛନ୍ତି, କମ୍ପାନୀ ୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ଆୟ ଏବଂ ୧୦ ହଜାର କୋଟି ଟଙ୍କା ଲାଭ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ଏହି ଲକ୍ଷ୍ୟ ପୂରଣ ପାଇଁ ୨୦୨୯-୩୦ ସୁଦ୍ଧା ପ୍ରାୟ ୧ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଆସନ୍ତା ଚାରି ବର୍ଷ ଧରି ପ୍ରତିବର୍ଷ ପ୍ରାୟ ୨୫ ହଜାର କୋଟି ଟଙ୍କା ନିବେଶ କରିବାକୁ କମ୍ପାନୀ ଯୋଜନା କରିଛି।

ବର୍ତ୍ତମାନ ଟାଟା ପାୱାରର ବିଦ୍ୟୁତ ଉତ୍ପାଦନ କ୍ଷମତା ୧୬.୭ ଗିଗାୱାଟ୍ ରହିଛି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ମିଶାଇ କମ୍ପାନୀର ମୋଟ ପୋର୍ଟଫୋଲିଓ ୨୬ ଗିଗାୱାଟ୍‌ରୁ ଅଧିକ ହୋଇଛି। ଏଥିରୁ ୬୬ ପ୍ରତିଶତ ବିଦ୍ୟୁତ ସ୍ୱଚ୍ଛ ଓ ସବୁଜ ଶକ୍ତି ଉତ୍ସରୁ ଆସୁଛି। ୨୦୩୦ ସୁଦ୍ଧା କମ୍ପାନୀ ମୋଟ ଉତ୍ପାଦନ କ୍ଷମତାକୁ ୩୦ ଗିଗାୱାଟ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

ରୁଫଟପ୍ ସୋଲାର କ୍ଷେତ୍ରରେ ମଧ୍ୟ କମ୍ପାନୀ ଗତ ଆର୍ଥିକ ବର୍ଷରେ ପ୍ରାୟ ୨ ଗିଗାୱାଟ୍ କ୍ଷମତା ସ୍ଥାପନ କରିଛି। ଏହା ସହ ଦେଶରେ ମୋଟ ରୁଫଟପ୍ ସୋଲାର ସ୍ଥାପନ ୪ ଗିଗାୱାଟ୍‌ରୁ ଅଧିକକୁ ପହଞ୍ଚିଛି।

ଓଡ଼ିଶାରେ ଟାଟା ପାୱାରର ବିଦ୍ୟୁତ ବିତରଣ ବ୍ୟବସ୍ଥା ମଧ୍ୟ ଶକ୍ତିଶାଳୀ ହୋଇଛି। କମ୍ପାନୀ ବର୍ତ୍ତମାନ ରାଜ୍ୟର ସମସ୍ତ ଚାରିଟି ବିଦ୍ୟୁତ ବିତରଣ କମ୍ପାନୀ ସହିତ ଦିଲ୍ଲୀ, ମୁମ୍ବାଇ ଓ ଅଜମେରରେ ମିଶି ୧ କୋଟି ୩୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଉଛି।

କମ୍ପାନୀ କହିଛି, ଓଡ଼ିଶାର ସମସ୍ତ ଚାରିଟି ଡିସ୍‌କମ୍ ପ୍ରଥମ ଥର ପାଇଁ ଅଂଶୀଦାରମାନଙ୍କୁ ଲାଭାଂଶ ଦେଇଛନ୍ତି। ସେହିପରି ବିଦ୍ୟୁତ କ୍ଷୟକ୍ଷତି ମଧ୍ୟ କମି ୧୫ ପ୍ରତିଶତରେ ପହଞ୍ଚିଛି।

ଏହାଛଡ଼ା କମ୍ପାନୀ ଦେଶରେ ୨ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ହୋମ୍ ଚାର୍ଜର ସ୍ଥାପନ କରିଛି। ଆଗାମୀ ଦିନରେ ବିଦ୍ୟୁତ ସଞ୍ଚାର ଓ ବିତରଣ କ୍ଷେତ୍ରରେ ମଧ୍ୟ ନିଜର ନେଟୱର୍କକୁ ଆହୁରି ବିସ୍ତାର କରିବାକୁ ଟାଟା ପାୱାର ଯୋଜନା କରିଛି।

You may also like

Leave a Comment