Home Odishaସାର କଳାବଜାରୀଙ୍କୁ ନିସ୍ତାର ନାହିଁ! ୧୧,୬୮୪ ଦୋକାନରେ ଚଢ଼ାଉ; ୨,୭୭୪ ଜଣଙ୍କୁ ନୋଟିସ୍‌, ୯୬ ଡିଲରଙ୍କ ଲାଇସେନ୍ସ ବାତିଲ

ସାର କଳାବଜାରୀଙ୍କୁ ନିସ୍ତାର ନାହିଁ! ୧୧,୬୮୪ ଦୋକାନରେ ଚଢ଼ାଉ; ୨,୭୭୪ ଜଣଙ୍କୁ ନୋଟିସ୍‌, ୯୬ ଡିଲରଙ୍କ ଲାଇସେନ୍ସ ବାତିଲ

by Akshay Maharana
0 comments

ଚାଷୀଙ୍କ ପାଇଁ ସାର ଯୋଗାଣକୁ ସୁଗମ କରିବା ସହ ସାର କଳାବଜାରୀ, ମହଜୁଦଦାରୀ ଓ ଅନିୟମିତତା ଉପରେ ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚଳିତ ଖରିଫ୍‌ ୨୦୨୬-୨୭ ଋତୁରେ ସାରର ଅବାଧ ଯୋଗାଣ ନିଶ୍ଚିତ କରିବା ଏବଂ ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ସାର ଯୋଗାଇବା ପାଇଁ ସରକାର ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି।

କଳାବଜାରୀ ଓ ଅନ୍ୟାନ୍ୟ ଅନ୍ୟାୟ ପ୍ରଥାକୁ ରୋକିବା ପାଇଁ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଗଠନ କରାଯାଇଛି। ରାଜସ୍ୱ, କୃଷି ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଯାଞ୍ଚ ଦଳ ଏବଂ ଫ୍ଲାଇଂ ସ୍କ୍ୱାଡ୍‌ ବିଭିନ୍ନ ଅଞ୍ଚଳରେ ହୋଲସେଲ୍‌ ଓ ଖୁଚୁରା ସାର ଦୋକାନରେ ନିୟମିତ ଚଢ଼ାଉ କରୁଛନ୍ତି।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ୧୧,୬୮୪ଟି ସାର ଦୋକାନରେ ଚଢ଼ାଉ କରାଯାଇଛି। ଅନିୟମିତତା ଅଭିଯୋଗରେ ୨,୭୭୪ ଜଣଙ୍କୁ ସୋ-କଜ୍ ନୋଟିସ୍‌ ଜାରି ହୋଇଛି। ଏହାସହ ୩୨୧ ଡିଲରଙ୍କ ସାର ବିକ୍ରି ଅସ୍ଥାୟୀ ଭାବେ ବନ୍ଦ, ୧୭୦ ଡିଲରଙ୍କ ଲାଇସେନ୍ସ ସସ୍ପେଣ୍ଡ ଏବଂ ୯୬ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି। ୧୨ ଜଣ ଅନିୟମିତ ଡିଲରଙ୍କ ସାର ଷ୍ଟକ୍‌ ଜବତ ହୋଇଥିବାବେଳେ ୭ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସବ୍‌ଡିଭିଜନ୍‌ରେ ମା’ ସାବିତ୍ରୀ ଏଗ୍ରୋ ଏଜେନ୍ସିରେ ମିଳିତ ଚଢ଼ାଉ ବେଳେ ୭୦୦ ବସ୍ତା DAP ସାର ଜବତ କରାଯାଇଛି। ଦୋକାନର ଲାଇସେନ୍ସ ବାତିଲ କରାଯିବା ସହ ଅପରାଧିକ ମାମଲା ରୁଜୁ ହୋଇଛି। ବୌଦ୍ଧ ଜିଲ୍ଲାର ମନମୁଣ୍ଡା ବ୍ଲକ୍‌ର ବିଭିନ୍ନ ସାର ଦୋକାନରେ ମଧ୍ୟ ଗତ ଦୁଇ ଦିନ ଧରି ଚଢ଼ାଉ ଜାରି ରହିଛି। ଚାଷୀମାନଙ୍କଠାରୁ ଅଭିଯୋଗ ସଂଗ୍ରହ କରାଯାଇ ତଦନ୍ତ କରାଯାଉଛି।

ଅନ୍ୟପକ୍ଷରେ, ଗତବର୍ଷ ତୁଳନାରେ ଚଳିତବର୍ଷ ସାର କଳାବଜାରୀ ବିରୋଧୀ ଅଭିଯାନକୁ ଅଧିକ ଜୋରଦାର କରାଯାଇଛି। ୨୦୨୫-୨୬ରେ ୯,୦୧୭ଟି ଦୋକାନରେ ଚଢ଼ାଉ ହୋଇଥିବାବେଳେ ୨,୩୭୩ ଜଣଙ୍କୁ ନୋଟିସ୍‌ ଦିଆଯାଇଥିଲା। ଚଳିତବର୍ଷ ଚଢ଼ାଉ ସଂଖ୍ୟା ବଢ଼ି ୧୧,୬୮୪ରେ ପହଞ୍ଚିଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି, ରାଜ୍ୟର ପ୍ରତ୍ୟେକ ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି। ତେଣୁ ଚାଷୀମାନେ ଗୁଜବରେ ବିଶ୍ୱାସ ନକରି କେବଳ ଅନୁମୋଦିତ ଦୋକାନରୁ ନିର୍ଦ୍ଧାରିତ ଦରରେ ସାର କିଣନ୍ତୁ। ସାର ଯୋଗାଣ ବ୍ୟବସ୍ଥା ଉପରେ ସରକାର ନିରନ୍ତର ନଜର ରଖିଛନ୍ତି।

You may also like

Leave a Comment