Home Featuredପ୍ରଥମ ପର୍ଯ୍ୟାୟ ଜ୍ଞାନୋଦୟ ଯୋଜନାରେ ଶିକ୍ଷାନୁଷ୍ଠାନଙ୍କୁ ୯.୫୬ କୋଟି ଟଙ୍କା ପ୍ରଦାନ କଲେ ସରକାର

ପ୍ରଥମ ପର୍ଯ୍ୟାୟ ଜ୍ଞାନୋଦୟ ଯୋଜନାରେ ଶିକ୍ଷାନୁଷ୍ଠାନଙ୍କୁ ୯.୫୬ କୋଟି ଟଙ୍କା ପ୍ରଦାନ କଲେ ସରକାର

by Lokanath Panigrahi
0 comments

ରାଜ୍ୟରେ ନିଃଶୁକ୍ଳ ଶିକ୍ଷାବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କେଜିରୁ ପିଜି ଯାଏଁ ନିଃଶୁଳ୍କ ଶିକ୍ଷା ପାଇଁ ‘ଜ୍ଞାନୋଦୟ’-ଶିକ୍ଷାରୁ ସମୃଦ୍ଧି ଯୋଜନାରେ ୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟ UG ନାମଲେଖା ପରେ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରଥମ କିସ୍ତିର ଅର୍ଥରାଶି ପ୍ରଦାନ କରାଯାଇଛି । ଏହା ପରେ ଦ୍ବିତୀୟ କିସ୍ତି ପ୍ରଦାନ କରାଯିବ ପାଇଁ ଯୋଜନା ଚାଲିଛି ।

SAMS ମାଧ୍ୟମରେ ହୋଇଥିବା ନାମଲେଖା ଆଧାରରେ ମୋଟ ଅର୍ଥରାଶିର ୧୦ ପ୍ରତିଶତ ଅର୍ଥ ପ୍ରଥମ କିସ୍ତିରେ ଶିକ୍ଷାନୁଷ୍ଠାନଙ୍କୁ ଦିଆଯାଇଛି । ସରକାର ୯ କୋଟି ୫୬ ଲକ୍ଷ ଟଙ୍କା ସିଧାସଳଖ ଭାବରେ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରଦାନ କରିଛନ୍ତି । ଏହା ପରେ ଖୁବ୍ ଶୀଘ୍ର ଦ୍ୱିତୀୟ କିସ୍ତିର ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବାର ବ୍ୟବଧାନ ରହିଛି । ଦ୍ୱିତୀୟ କିସ୍ତିରେ ମୋଟ ୧୫ ପ୍ରତିଶତ ହିସାବରେ ୧୪ କୋଟି ୩୪ ଲକ୍ଷ ଟଙ୍କା ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କେଜିରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ଯୋଜନାରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଖର୍ଚ୍ଚରେ ସହାୟତା ଦେବା ଉପରେ ଗୁରୁତ୍ୱ ଦିଆଯାଉଛି । SAMS ମାଧ୍ୟମରେ ନାମଲେଖା ପ୍ରକ୍ରିୟା ସହ ଯୋଡ଼ି,  ଅର୍ଥରାଶି ସିଧାସଳଖ ଅନୁଷ୍ଠାନକୁ ପ୍ରଦାନ କରାଯାଉଥିବାରୁ ଯୋଜନାର କାର୍ଯ୍ୟାନ୍ୱୟରେ ସ୍ୱଚ୍ଛତା ରହିଥିବା ନେଇ ଉଚ୍ଚ ଶିକ୍ଷା ବିଭାଗ ଗୁରୁତ୍ୱ ଦେଇଛି । ପୂର୍ବରୁ ସରକାରୀ ସ୍କୁଲ ଗୁଡିକରେ ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସର୍ବଶିକ୍ଷା ଅଭିଯାନରେ ମାଗଣା ପାଠ ପଢାଯାଉଥିଲା ଏବଂ  ନବମ ଓ ଦଶମ ଶ୍ରେଣୀର ପିଲା ମଧ୍ୟ ସର୍ବ ମାଧ୍ୟମିକ ଶିକ୍ଷା ଅଭିଯାନରେ ମାଗଣା ସମସ୍ତ ସୁବିଧା ଓ ଶିକ୍ଷା ମଧ୍ୟ ପାଉଥିଲେ । ମାତ୍ର ଏବେ ସମ୍ପୂର୍ଣ୍ଣ ରୁପେ କେଜିରୁ ପିଜି, ମାଗଣାରେ ଛାତ୍ରଛାତ୍ର ମାନେ ନାମ ଲେଖାଇପାରିବେ ।

ଏହି କେଜିରୁ ପିଜି ନିଃଶୁଳ୍କ ଶିକ୍ଷା ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି, ସମସ୍ତ ଛାତ୍ର ଛାତ୍ରୀଙ୍କୁ ଗୁଣାତ୍ମକମାନର ଶିକ୍ଷା ପ୍ରଦାନ । ତାସହିତ ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ଥିବା ଆର୍ଥିକ ପ୍ରତିବନ୍ଧକକୁ ଦୂର କରିବା । ଯାହାଦ୍ବାରା ସମସ୍ତ ଛାତ୍ରଛାତ୍ରୀ ପାଠ ପଢିପାରିବେ l ସ୍କୁଲ ହେଉ ବା କଲେଜ କେହି ବି ଆର୍ଥିକ ସମସ୍ୟା ପାଇଁ ଆଧାରୁ ପାଠ ନଛାଡ଼ିବେ, ସେନେଇ ସରକାର ଏହିପରି ବ୍ୟବସ୍ଥା କରିଛନ୍ତି ।

You may also like

Leave a Comment