ଭୁବନେଶ୍ୱର, ୨ ଜୁଲାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜୁଲାଇ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରସ୍ତାବିତ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇ କହିଛନ୍ତି ଯେ, ବିଶେଷ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଏହି ଗସ୍ତକୁ ଅପାତତଃ ବାତିଲ କରାଯାଇଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅମିତ ଶାହ ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଗସ୍ତ କରିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶୁଭାରମ୍ଭ କରିବାର ଥିଲା। ବରଗଡ଼ରେ ପ୍ରାୟ ୧,୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଥାନଲ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ ତାଙ୍କ କାର୍ଯ୍ୟସୂଚୀରେ ସାମିଲ ଥିଲା।
ଏହାଛଡ଼ା ଜୁଲାଇ ୪ ଓ ୫ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମ ସହ କଟକ ଜିଲ୍ଲାର ବଡ଼ମ୍ବାରେ ମଧ୍ୟ ସେ ଯୋଗଦେବାର ଯୋଜନା ଥିଲା। କେନ୍ଦ୍ର ସରକାରଙ୍କ ୧୨ ବର୍ଷର କାର୍ଯ୍ୟକାଳ ଏବଂ ରାଜ୍ୟର ବିଜେପି ସରକାରଙ୍କ ଏକ ବର୍ଷର ସଫଳତା ଉପରେ ଆୟୋଜିତ ସାଧାରଣ ସଭାରେ ମଧ୍ୟ ସେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା।
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ପରବର୍ତ୍ତୀ ସମୟରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ନୂଆ କାର୍ଯ୍ୟସୂଚୀ ସମ୍ପର୍କରେ ପରେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।
ଏପରିସ୍ଥିତିରେ ଗସ୍ତ ସ୍ଥଗିତ ହେବାକୁ ନେଇ ବିଭିନ୍ନ ମହଳରେ ଚର୍ଚ୍ଚା ଚାଲିଥିଲେ ମଧ୍ୟ, ଏହାର ପ୍ରକୃତ କାରଣ ନେଇ କେନ୍ଦ୍ର ସରକାର କିମ୍ବା ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନ୍ୟ କୌଣସି ଆଧିକାରିକ ସ୍ପଷ୍ଟୀକରଣ ଜାରି କରାଯାଇନାହିଁ। ତେଣୁ ମନ୍ତ୍ରିମଣ୍ଡଳ ପୁନର୍ଗଠନ କିମ୍ବା ଅନ୍ୟ କାରଣକୁ ନେଇ ଚାଲିଥିବା ଚର୍ଚ୍ଚାର ଆଧିକାରିକ ପୁଷ୍ଟି ମିଳିନାହିଁ।
ହେଲେ ଏବେ ଗୋଟିଏ ପ୍ରଶ୍ନ ଉଠୁଛି କାହିଁକି ଶେଷ ମୂହୁର୍ତ୍ତରେ ଗସ୍ତ ବାତିଲ କଲେ ଶାହା l ମିଳିଥିବା ବିସ୍ବସ୍ତୀୟ ସୂଚନା ଅନୁସାରେ ଖୁବଶୀଘ୍ର କେନ୍ଦ୍ରରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ହେବାକୁ ଥିବା ବେଳେ ଶାହା ନିଜର ଓଡ଼ିଶା ଗସ୍ତକୁ ସ୍ଥଗିତ ରଖିଥିବା ଆଲୋଚନା କରାଯାଉଛି l କେବଳ ସେତିକି ନୁହେଁ ବିଭିନ୍ନ ବିଜେପି ଶାସିତ ରାଜ୍ୟର ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦିଲ୍ଲି ଡ଼ାକରା ଆସିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି l ତେଣୁ ଆଶା କରାଯାଉଛି ଯେ ସରକାରରେ ଖୁବଶୀଘ୍ର ଗୋଟିଏ ବଡ଼ ଅଦଳ ବଦଳ ହେବାକୁ ଯାଉଛି l
