Home Featured୭୧ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଦିଗଦର୍ଶନ

୭୧ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଦିଗଦର୍ଶନ

by Sunita Jena
0 comments

ରାଜ୍ୟରେ ନୂତନ ଭାବେ ଉନ୍ନୀତ ହୋଇଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରିବା ଲକ୍ଷ୍ୟରେ ଏକ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୁବନେଶ୍ୱରସ୍ଥିତ ବି.ଜେ.ବି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୭୧ଟି ନୂତନ ଭାବେ ଉନ୍ନୀତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଅଧ୍ୟକ୍ଷମାନେ ଯୋଗ ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣରେ ବିଦ୍ୟାଳୟ ପରିଚାଳନା ସହ ଜଡ଼ିତ ବିଭିନ୍ନ ଶୈକ୍ଷିକ ଓ ପ୍ରଶାସନିକ ବିଷୟ ଉପରେ ଅଧିକାରୀମାନେ ଦିଗଦର୍ଶନ ଦେଇଥିଲେ। ବିଶେଷକରି ଅନଲାଇନ୍ ନାମଲେଖା ପ୍ରକ୍ରିୟା, ଅତିଥି ଅଧ୍ୟାପକ ଚୟନ, ବିଦ୍ୟାଳୟର ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ଏବଂ ଶିକ୍ଷାଦାନ ବ୍ୟବସ୍ଥାକୁ ନେଇ ଆବଶ୍ୟକୀୟ ସୂଚନା ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ଯୋଗଦେଇ ବିଦ୍ୟାଳୟ ସ୍ତରରେ ସୁଦୃଢ଼ ପ୍ରଶାସନିକ ବ୍ୟବସ୍ଥାର ଆବଶ୍ୟକତା ଉପରେ ମତ ରଖିଥିଲେ। ନୂତନ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଶିକ୍ଷଣ ପରିବେଶ ଗଢ଼ିବା ସହ ଗୁଣାତ୍ମକ ଶିକ୍ଷା ଓ ଉପଯୁକ୍ତ ମାର୍ଗଦର୍ଶନ ଯେପରି ମିଳିପାରିବ, ସେଥିପାଇଁ ଅଧ୍ୟକ୍ଷମାନେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ମାଳି ବିଦ୍ୟାଳୟଗୁଡ଼ିକରେ ନିର୍ଦ୍ଧାରିତ ନିୟମ ଓ ନିର୍ଦ୍ଦେଶାବଳୀକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ସହ ନିର୍ଦ୍ଦେଶାଳୟ ସହ ନିରନ୍ତର ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟପକ୍ଷରେ ଉପ-ନିର୍ଦ୍ଦେଶିକା ସି.ଏଚ୍. ବିଜୟଲକ୍ଷ୍ମୀ ଶୈକ୍ଷିକ ଯୋଜନାକୁ ସଠିକ୍ ଭାବେ ଲାଗୁ କରିବା ଏବଂ ଅନୁଷ୍ଠାନିକ ପରିଚାଳନାକୁ ଅଧିକ ଦକ୍ଷ କରିବା ଉପରେ ଆଲୋଚନା କରିଥିଲେ।

ନୂତନ ଭାବେ ଉନ୍ନୀତ ହୋଇଥିବା ଏହି ୭୧ଟି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ଓ ପ୍ରଶାସନିକ କାର୍ଯ୍ୟକୁ ଶୃଙ୍ଖଳିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ନୂତନ ଅଧ୍ୟକ୍ଷମାନେ ନିଜ ଦାୟିତ୍ୱ, ନିୟମାବଳୀ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ସମ୍ବନ୍ଧୀୟ ପ୍ରକ୍ରିୟା ବିଷୟରେ ସ୍ପଷ୍ଟ ଧାରଣା ପାଇବା ସହ ବିଦ୍ୟାଳୟର କାର୍ଯ୍ୟକାରିତା ବଢ଼ାଇବା ଦିଗରେ ଏହି ଦିଗଦର୍ଶନ କାର୍ଯ୍ୟକ୍ରମ ସହାୟକ ହେବ ବୋଲି କୁହାଯାଇଛି।

You may also like

Leave a Comment