Home Featured୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା: ୯ ଜିଲ୍ଲାକୁ ରେଡ୍ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସତର୍କତା

୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା: ୯ ଜିଲ୍ଲାକୁ ରେଡ୍ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସତର୍କତା

by Lokanath Panigrahi
0 comments

ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଥିବାବେଳେ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ଢଳିଛି। ଆଗାମୀ ଦୁଇ ଦିନ ମଧ୍ୟରେ ଏହି ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଜୁଲାଇ ୪ରେ ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲା ଏବଂ ଜୁଲାଇ ୫ରେ ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲା ପାଇଁ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କାରେ ରେଡ୍ ଆଲର୍ଟ ଜାରି କରାଯାଇଛି।

ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ସହରାଞ୍ଚଳରେ ଜଳବନ୍ଦୀ, ଟ୍ରାଫିକ୍ ସମସ୍ୟା ଓ ଦୃଶ୍ୟମାନତା ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାଛଡ଼ା ମାଟିଘର କ୍ଷତିଗ୍ରସ୍ତ ହେବା, ଚାଷଜମି ପ୍ରଭାବିତ ହେବା ଏବଂ ନଦୀର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ କରାଯାଇଛି।

ଏହି ପରିସ୍ଥିତିକୁ ନଜରରେ ରଖି ଏସ୍‌ଆର୍‌ସି ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ସହ ଆବଶ୍ୟକ ମୁକାବିଲା ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି। ପାରାଦୀପ ଓ ଧାମରା ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି।

ଶନିବାର ପୂର୍ବାହ୍ନ ପର୍ଯ୍ୟନ୍ତ କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ କେତେକ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ପରବର୍ତ୍ତୀ ୨୪ ଘଣ୍ଟାରେ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସୁବର୍ଣ୍ଣପୁର ଓ ସମ୍ବଲପୁର ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଅନ୍ୟ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଜୁଲାଇ ୫ରୁ ୮ ତାରିଖ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ବଳବତ୍ତର ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ପୁରୀ, ବଲାଙ୍ଗୀର, ରାୟଗଡ଼ା, ଅନୁଗୁଳ, ଭଦ୍ରକ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସବୁଠୁ ଅଧିକ ବର୍ଷା ବରଗଡ଼ ଜିଲ୍ଲାର ଆମ୍ବଭୋନାରେ ୩୨ ସେଣ୍ଟିମିଟର ରେକର୍ଡ ହୋଇଥିବା ସୂଚନା ମିଳିଛି।

You may also like

Leave a Comment