Home Featuredବିଜୁଳି ଭିତ୍ତିଭୂମି ସୁଦୃଢ଼ ହେବ, ୧୫,୯୪୮ କୋଟି ନିବେଶକୁ କ୍ୟାବିନେଟ୍‌ ମଞ୍ଜୁରି

ବିଜୁଳି ଭିତ୍ତିଭୂମି ସୁଦୃଢ଼ ହେବ, ୧୫,୯୪୮ କୋଟି ନିବେଶକୁ କ୍ୟାବିନେଟ୍‌ ମଞ୍ଜୁରି

by Sunita Jena
0 comments

ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଆହୁରି ମଜବୁତ ଓ ଆଧୁନିକ କରିବା ପାଇଁ ସରକାର ବଡ଼ ନିବେଶ ଯୋଜନା ହାତକୁ ନେଇଛନ୍ତି। ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ ଲାଗି ୧୫,୯୪୮.୭୦ କୋଟି ଟଙ୍କା ବ୍ୟୟ କରାଯିବ। ଶକ୍ତି କ୍ଷେତ୍ରରେ ଏହା ରାଜ୍ୟର ସବୁଠାରୁ ବଡ଼ ପୁଞ୍ଜିନିବେଶ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ୧୨ଟି ବିଭାଗ ସମ୍ପର୍କିତ ମୋଟ ୧୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍‌ର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ।

ବିଦ୍ୟୁତ୍‌ କ୍ଷେତ୍ରର ପ୍ରସ୍ତାବିତ ଯୋଜନା ଅନୁସାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ୭୬୫ କେଭି ଟ୍ରାନ୍ସମିସନ୍‌ ନେଟ୍‌ୱର୍କ ବିକଶିତ କରାଯିବ। ଖୁଣ୍ଟୁଣି, ଡୁବୁରି ଓ କୋଲାବିରାରେ ତିନୋଟି ନୂଆ ୭୬୫ କେଭି ଗ୍ରିଡ୍‌ ସବ୍‌ଷ୍ଟେସନ୍‌ ନିର୍ମାଣ ହେବ। ଶିଳ୍ପ କ୍ଷେତ୍ରର ବଢ଼ୁଥିବା ଚାହିଦା ସହ ଘରୋଇ ବିଦ୍ୟୁତ୍‌ ଆବଶ୍ୟକତାକୁ ସମନ୍ୱୟ କରିବାରେ ଏହି ନେଟ୍‌ୱର୍କ ଗୁରୁତ୍ୱପୂର୍ଣ୍ଣ ହେବ। ବର୍ତ୍ତମାନ ରାଜ୍ୟରେ ୫ଟି ୪୦୦ କେଭି ଗ୍ରିଡ୍‌ ସବ୍‌ଷ୍ଟେସନ୍‌ କାର୍ଯ୍ୟକ୍ଷମ ରହିଛି ଏବଂ ଆଉ ୬ଟି ନିର୍ମାଣାଧୀନ ଅଛି। କାଂସବାହାଲ ଓ ଟିଟିଲାଗଡ଼ରେ ଆଉ ଦୁଇଟି ଗ୍ରିଡ୍‌ ସବ୍‌ଷ୍ଟେସନ୍‌କୁ ମଞ୍ଜୁରି ମିଳିବା ପରେ ଭବିଷ୍ୟତରେ ୪୦୦ କେଭି ଗ୍ରିଡ୍‌ ସବ୍‌ଷ୍ଟେସନ୍‌ ସଂଖ୍ୟା ୧୩କୁ ବଢ଼ିବ।

ସେହିପରି ୨୨୦ କେଭି ଗ୍ରିଡ୍‌ ନେଟ୍‌ୱର୍କକୁ ମଧ୍ୟ ବ୍ୟାପକ କରାଯିବ। ୨୦୨୪ ସୁଦ୍ଧା ରାଜ୍ୟରେ ୪୮ଟି ୨୨୦ କେଭି ଗ୍ରିଡ୍‌ ସବ୍‌ଷ୍ଟେସନ୍‌ ଥିଲା। ଗତ ଦୁଇ ବର୍ଷରେ ୬ଟି ନୂଆ ସବ୍‌ଷ୍ଟେସନ୍‌ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୧୧ଟି ନିର୍ମାଣାଧୀନ ଅଛି। ଏବେ ଆଉ ୧୦ଟି ସବ୍‌ଷ୍ଟେସନ୍‌କୁ ଅନୁମୋଦନ ମିଳିଥିବାରୁ ଏହି ନେଟ୍‌ୱର୍କର ସଂଖ୍ୟା ୭୫ରେ ପହଞ୍ଚିବ। ଏହାଦ୍ୱାରା ରାଉରକେଲା, ସମ୍ବଲପୁର ଓ ବରଗଡ଼ ଅଞ୍ଚଳରେ ୨୨୦ କେଭି ରିଂ ନେଟ୍‌ୱର୍କ ବିକଶିତ ହୋଇପାରିବ। ବଢ଼ୁଥିବା ବିଦ୍ୟୁତ୍‌ ଚାହିଦାକୁ ଦୃଷ୍ଟିରେ ରଖି ୭୯ଟି ସବ୍‌ଷ୍ଟେସନ୍‌ର ଆଧୁନିକୀକରଣ କରାଯିବ। ଏହା ସହ ଓପିଟିସିଏଲ୍‌ର ଟ୍ରାନ୍ସଫର୍ମେସନ୍‌ କ୍ଷମତା ୨୯,୮୮୯ ଏମ୍‌ଭିଏରୁ ବଢ଼ି ୬୩,୩୬୪ ଏମ୍‌ଭିଏ କରିବାର ଯୋଜନା ରହିଛି।

ନବୀକରଣଯୋଗ୍ୟ ଶକ୍ତିକୁ ମଧ୍ୟ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି। ହୀରାକୁଦ ଓ ଇନ୍ଦ୍ରାବତୀ ଜଳଭଣ୍ଡାରରେ ପ୍ରସ୍ତାବିତ ଭାସମାନ ସୌର ପ୍ରକଳ୍ପ ସହ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଭୂମିଭିତ୍ତିକ ସୌର ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍‌କୁ ଗ୍ରିଡ୍‌ ସହ ଯୋଡ଼ିବା ପାଇଁ ଆବଶ୍ୟକ ନେଟ୍‌ୱର୍କ ତିଆରି ହେବ। ଏଥିସହ ରିମୋଟ୍‌ ମ୍ୟାନେଜମେଣ୍ଟ୍‌ ବ୍ୟବସ୍ଥା ମାଧ୍ୟମରେ ଓପିଟିସିଏଲ୍‌ ନେଟ୍‌ୱର୍କର ନିୟନ୍ତ୍ରଣ କରାଯିବ। ଭୁବନେଶ୍ୱର, ବ୍ରହ୍ମପୁର, ଝାରସୁଗୁଡ଼ା ଓ ବାଲେଶ୍ୱରର ଚାରିଟି ନିୟନ୍ତ୍ରଣ କେନ୍ଦ୍ରରୁ ଏହା ପରିଚାଳିତ ହେବ।

ପଞ୍ଚସଖା ଶିକ୍ଷାସେତୁ ପାଇଁ ୩୧୨.୯୬ କୋଟି

କ୍ୟାବିନେଟ୍‌ରେ ‘ପଞ୍ଚସଖା ଶିକ୍ଷାସେତୁ ଯୋଜନା’କୁ ମଧ୍ୟ ଅନୁମୋଦନ କରାଯାଇଛି। ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନା ପାଇଁ ୩୧୨.୯୬ କୋଟି ଟଙ୍କା ବ୍ୟୟ ହେବ। ଯୋଜନା ଅନୁଯାୟୀ, କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ବିଦ୍ୟାଳୟର ବିକାଶ ପାଇଁ ଯେତିକି ଅର୍ଥ ଦାନ କରିବେ, ସରକାର ତାହାର ଦୁଇଗୁଣ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୫୦ ଲକ୍ଷ ଟଙ୍କା ଅନୁଦାନ ଦେବେ। ୨୦୨୪ ଡିସେମ୍ବରରୁ ୨୦୨୯ ମାର୍ଚ୍ଚ ୩୧ ଯାଏଁ ଏହି ଯୋଜନାର କାର୍ଯ୍ୟକାଳ ରହିବ।

‘ଓଡ଼ିଶା ଜନ ବିଶ୍ୱାସ ବିଲ୍‌’କୁ କ୍ୟାବିନେଟ୍‌ ମଞ୍ଜୁରି

ଏହାଛଡ଼ା ‘ଓଡ଼ିଶା ଜନ ବିଶ୍ୱାସ ବିଲ୍‌, ୨୦୨୬’କୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି। ଲାଇସେନ୍ସ ଓ ବିଭିନ୍ନ ଅନୁମତି ପ୍ରକ୍ରିୟାକୁ ସହଜ କରିବା ସହ ଅନାବଶ୍ୟକ ଦ୍ୱୈତ ଅନୁମୋଦନ ବ୍ୟବସ୍ଥା ହଟାଇବା ଏହି ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଶିଳ୍ପ ସଂସ୍ଥାଗୁଡ଼ିକର ଲାଇସେନ୍ସ ଓ ପଞ୍ଜୀକରଣର ବୈଧତା ଅବଧି ବଢ଼ାଇବାର ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି। ୧୧ଟି ବିଭାଗ ଅଧୀନରେ ଥିବା ୧୬ଟି ରାଜ୍ୟ ଆଇନର ୬୨ଟି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ବିଲ୍‌ରେ ପ୍ରସ୍ତାବ ରହିଛି। ଏଥିରୁ ୧୧ଟି ଆଇନରେ ୩୫ଟି ପ୍ରାବଧାନକୁ ସରଳ ଓ ଯୁକ୍ତିସଙ୍ଗତ କରାଯିବ। ଆଉ ୫ଟି ଆଇନରେ ୨୭ଟି ସଂଶୋଧନ ମାଧ୍ୟମରେ ଲାଇସେନ୍ସ ଓ ନିୟାମକ ପ୍ରକ୍ରିୟାକୁ ସହଜ କରାଯିବ। ସରକାରଙ୍କ ମତରେ, ଏହି ସଂସ୍କାର ଫଳରେ ଅନାବଶ୍ୟକ ମାମଲା ଓ ପ୍ରଶାସନିକ ବିଳମ୍ବ କମିବା ସହ ନାଗରିକ ଏବଂ ନିବେଶକଙ୍କ ଆସ୍ଥା ବଢ଼ିବ।

You may also like

Leave a Comment