ସମୟ ସହ ଭାଷାର ପରିବର୍ତ୍ତନ ଓ ନୂଆ ପିଢ଼ିର ଆବଶ୍ୟକତା ସହ ଏହାକୁ ଯୋଡ଼ିବା ଜରୁରୀ। ହିନ୍ଦୀକୁ ଆଧୁନିକ ଜ୍ଞାନ, ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନର ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ବିକଶିତ କରିବା ଦରକାର ବୋଲି ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତି।ଭୁବନେଶ୍ୱରସ୍ଥିତ CSIR-IMMT ପରିସରରେ ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ସରକାରୀ ଭାଷା ବାର୍ଷିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟପାଳ ଏହି ମତ ରଖିଥିଲେ। ତାଙ୍କ ଅନୁସାରେ, ହିନ୍ଦୀର ବିକାଶ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ। ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ସାହିତ୍ୟିକ, ସାମ୍ବାଦିକ, ପ୍ରଯୁକ୍ତି ବିଶେଷଜ୍ଞ, ଶିଳ୍ପ ଓ ସମାଜର ବିଭିନ୍ନ ବର୍ଗ ମିଳିତ ଭାବେ ଏଥିପାଇଁ କାମ କରିବା ଆବଶ୍ୟକ।
ହିନ୍ଦୀକୁ ଅନ୍ୟ ଭାରତୀୟ ଭାଷାର ପ୍ରତିଦ୍ୱନ୍ଦ୍ୱୀ ଭାବେ ନୁହେଁ, ବରଂ ଯୋଗାଯୋଗ, ଜ୍ଞାନ ଆଦାନପ୍ରଦାନ ଓ ଜାତୀୟ ଏକତାର ଏକ ମାଧ୍ୟମ ଭାବେ ଦେଖିବା ଉଚିତ ବୋଲି ସେ ମତ ଦେଇଥିଲେ। ଭାରତର ବହୁଭାଷୀ ଓ ବିବିଧ ସାଂସ୍କୃତିକ ପରମ୍ପରା ପ୍ରତି ସମ୍ମାନ ରଖି ହିନ୍ଦୀର ବିକାଶ ହେବା ଆବଶ୍ୟକ ବୋଲି ସେ କହିଥିଲେ।ବିଜ୍ଞାନ, ଚିକିତ୍ସା, ଆଇନ, ଅର୍ଥନୀତି, ପ୍ରଶାସନ ଓ ଉଚ୍ଚଶିକ୍ଷା ଭଳି କ୍ଷେତ୍ରର ଗୁଣାତ୍ମକ ତଥ୍ୟ ଓ ଶିକ୍ଷଣୀୟ ସାମଗ୍ରୀକୁ ସରଳ ଏବଂ ପ୍ରାମାଣିକ ହିନ୍ଦୀରେ ଉପଲବ୍ଧ କରାଇବା ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ।
ସେହିପରି ଡିଜିଟାଲ୍ ପ୍ଲାଟଫର୍ମ, କୃତ୍ରିମ ବୁଦ୍ଧିମତ୍ତା, ମେସିନ୍ ଅନୁବାଦ ଓ ଅନ୍ୟାନ୍ୟ ଭାଷା ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ହିନ୍ଦୀକୁ ଆହୁରି ସମୃଦ୍ଧ କରିବାର ଆବଶ୍ୟକତା ରହିଛି। ବୈଜ୍ଞାନିକ ଓ ବୈଷୟିକ କ୍ଷେତ୍ରରେ ହିନ୍ଦୀର ବ୍ୟବହାର ବଢ଼ାଇବା ପାଇଁ CSIR-IMMT ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।ହିନ୍ଦୀର ପ୍ରସାରରେ ଯୁବପିଢ଼ିଙ୍କ ଭୂମିକାକୁ ମଧ୍ୟ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ। ସୋସିଆଲ୍ ମିଡିଆ, ଡିଜିଟାଲ୍ ଶିକ୍ଷା, ନିଯୁକ୍ତି, ନବସୃଜନ ଓ ସୃଜନଶୀଳ ଲେଖାଲେଖି ମାଧ୍ୟମରେ ଯୁବପିଢ଼ି ଭାଷାକୁ ନୂଆ ରୂପ ଦେଇପାରିବେ ବୋଲି ସେ କହିଥିଲେ।
ଓଡ଼ିଆ ଓ ହିନ୍ଦୀ ମଧ୍ୟରେ ସାହିତ୍ୟିକ ଏବଂ ଭାଷାଗତ ଆଦାନପ୍ରଦାନକୁ ଆହୁରି ବଢ଼ାଇବା ଦ୍ୱାରା ଜାତୀୟ ଏକତା ମଜବୁତ ହୋଇପାରିବ ବୋଲି ମଧ୍ୟ ରାଜ୍ୟପାଳ ମତ ରଖିଥିଲେ।ସମ୍ମିଳନୀରେ ବିଭିନ୍ନ ବିଭାଗ ଓ ଅନୁଷ୍ଠାନର ପ୍ରତିନିଧି, ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଯୋଗ ଦେଇ ଭାଷାର ବିକାଶ, ସରକାରୀ କାର୍ଯ୍ୟରେ ହିନ୍ଦୀର ବ୍ୟବହାର ଏବଂ ଆଧୁନିକ ପ୍ରଯୁକ୍ତି ସହ ଭାଷାର ସମନ୍ୱୟ ନେଇ ଆଲୋଚନା କରିଥିଲେ।
