Home Entertainmentରାମଙ୍କ ଚରିତ୍ର ପାଇଁ ରଣବୀରଙ୍କ କଠିନ ପ୍ରସ୍ତୁତି

ରାମଙ୍କ ଚରିତ୍ର ପାଇଁ ରଣବୀରଙ୍କ କଠିନ ପ୍ରସ୍ତୁତି

by Sunita Jena
0 comments

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଚାଲିଛି। ଏହି ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର କପୁର। ଚରିତ୍ରଟିକୁ ପରଦାରେ ବିଶ୍ୱସନୀୟ ଭାବେ ଉପସ୍ଥାପନ କରିବା ପାଇଁ ରଣବୀରଙ୍କ ପ୍ରସ୍ତୁତି କେବଳ ଶରୀର ଗଠନ ମଧ୍ୟରେ ସୀମିତ ରହିନଥିଲା। ତାଙ୍କ ପ୍ରଶିକ୍ଷକ ଶିଭୋହାମଙ୍କ ଅନୁସାରେ, ଅଭିନେତା ମାନସିକ ଭାବେ ମଧ୍ୟ ଏହି ଭୂମିକା ପାଇଁ ନିଜକୁ ଢାଳିଥିଲେ।

ଶ୍ରୀରାମଙ୍କ ଶାନ୍ତ, ସଂଯମୀ ଓ ମର୍ଯ୍ୟାଦାପୂର୍ଣ୍ଣ ବ୍ୟକ୍ତିତ୍ୱକୁ ଅଭିନୟରେ ଆଣିବା ପାଇଁ ରଣବୀର ନିୟମିତ ଯୋଗ ଓ ପ୍ରାଣାୟମ ଅଭ୍ୟାସ କରୁଥିଲେ। ତାଙ୍କ ଚାଲିଚଳନ, ବସିବା, ଉଠିବା ଠାରୁ ଆରମ୍ଭ କରି ଦୈନନ୍ଦିନ ଆଚରଣ ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ପ୍ରଶିକ୍ଷଣ ଦିଆଯାଇଥିଲା। ଚରିତ୍ରର ଗଭୀରତା ବୁଝିବା ପାଇଁ ଧାର୍ମିକ ଗ୍ରନ୍ଥ, ଶ୍ରୀରାମଙ୍କ ଜୀବନ ଓ କାହାଣୀର ପୃଷ୍ଠଭୂମି ଉପରେ ମଧ୍ୟ ଅଧ୍ୟୟନ କରାଯାଇଥିଲା।

ରଣବୀରଙ୍କ ପ୍ରସ୍ତୁତି ପଛରେ ଏକ ବିଶେଷ ଟିମ୍‌ କାମ କରିଥିଲା। ତାଙ୍କ ଖାଦ୍ୟାଭ୍ୟାସ ଓ ଫିଟନେସ୍‌କୁ ନଜରରେ ରଖି ସେଫ୍‌, ନ୍ୟୁଟ୍ରିସନିଷ୍ଟ, ଫିଟନେସ୍‌ କୋଚ୍‌ ଓ ଫିଜିଓଥେରାପିଷ୍ଟମାନେ ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିଥିଲେ। ଶରୀର ସହ ମନକୁ ମଧ୍ୟ ଚରିତ୍ର ଅନୁରୂପ କରିବା ଉପରେ ରଣବୀର ବିଶେଷ ଧ୍ୟାନ ଦେଇଥିଲେ। ଫିଲ୍ମରେ ରଣବୀରଙ୍କ ସହ ୟଶ୍‌ ରାବଣ, ସାଇ ପଲ୍ଲବୀ ସୀତା, ସନ୍ନି ଦେଓଲ ହନୁମାନ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ନଜର ଆସିବେ। ‘ରାମାୟଣ’ ଦୁଇଟି ଭାଗରେ ରିଲିଜ୍‌ ହେବାକୁ ଥିବା ବେଳେ ପ୍ରଥମ ଭାଗ ୨୦୨୬ ଦୀପାବଳି ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ପରଦାକୁ ଆସିବାର ଯୋଜନା ରହିଛି।

You may also like

Leave a Comment