ଭୁବନେଶ୍ୱର: ଆସନ୍ତା ୨୪ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରାକୁ ନେଇ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ମଙ୍ଗଳବାର ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇନ-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରଥଯାତ୍ରା ଆରମ୍ଭ ଠାରୁ ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୁଚାରୁ ଭାବେ ସମ୍ପନ୍ନ ହୋଇଛି। ଲଗାଣ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ ସେବାୟତ, ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ପୁରୀରେ ଜିଲ୍ଲା ଓ ପୋଲିସ ପ୍ରଶାସନ ନିୟମିତ ଭାବେ ପରିସ୍ଥିତି ଉପରେ ନଜର ରଖୁଥିବା ବେଳେ ପହଣ୍ଡି, ରଥଟଣା, ଦକ୍ଷିଣି ମୋଡ଼ ଏବଂ ଆଡ଼ପ ମଣ୍ଡପ ଦର୍ଶନ ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ବରିଷ୍ଠ ଅଧିକାରୀମାନେ ସ୍ୱୟଂ ଉପସ୍ଥିତ ରହି ତଦାରଖ କରୁଥିବା ସୂଚନା ମିଳିଛି।
ଭିଡ଼ ପରିଚାଳନାକୁ ଆହୁରି ବୈଜ୍ଞାନିକ କରିବା ଉପରେ ଜୋର ଦେଇ ମୁଖ୍ୟମନ୍ତ୍ରୀ ‘କ୍ରାଉଡ୍ ଡେନ୍ସିଟି’ର ନିରନ୍ତର ଅନୁଧ୍ୟାନ କରିବାକୁ କହିଥିଲେ। ସେହିପରି ସିସିଟିଭି ମାଧ୍ୟମରେ ମିଳୁଥିବା ସୂଚନାକୁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ଜରିଆରେ ତୁରନ୍ତ ସମ୍ପୃକ୍ତ ସ୍ଥାନକୁ ପହଞ୍ଚାଇ ସମସ୍ୟାର ତ୍ୱରିତ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ।
ବାହୁଡା ଯାତ୍ରା ପରେ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବାକୁ ଥିବାରୁ ସମସ୍ତ ନୀତିକାନ୍ତି ଯେପରି ନିର୍ବିଘ୍ନ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ କାରଣରୁ ଦୁଇଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଥିଲେ। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିବା ସେ ସ୍ମରଣ କରାଇଥିଲେ।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ପୋଲିସ ଡିଜି ୱାଇ.ବି. ଖୁରାନିଆ, ଅଗ୍ନିଶମ ଡିଜି ଡଃ ସୁଧାଂଶୁ ଷଡ଼ଙ୍ଗୀ ଏବଂ ଏଡିଜି (ମଡର୍ଣ୍ଣାଇଜେସନ୍) ସୌମେନ୍ଦ୍ର ପ୍ରିୟଦର୍ଶୀ ସୁରକ୍ଷା ଓ ପୋଲିସ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଜାରି କରାଯାଉଥିବା ମାର୍ଗଦର୍ଶିକାକୁ ପାଳନ କରିବାକୁ ନିବେଦନ କରିଥିଲେ, ଯାହାଦ୍ୱାରା ବାହୁଡା ଯାତ୍ରା ନିରାପଦ ଓ ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ।
