ଗଣେଶ ପୂଜାର ଉତ୍ସବମୁଖର ପରିବେଶ ମଧ୍ୟରେ ଓଡ଼ିଆ ସିନେମାପ୍ରେମୀଙ୍କ ପାଇଁ ଆସିଛି ମନୋରଞ୍ଜନର ନୂଆ ଖୋରାକ। ଏହି ଅବସରରେ ଭିନ୍ନ ଭିନ୍ନ କାହାଣୀ ଓ ଧାରାକୁ ନେଇ ତିନୋଟି ଓଡ଼ିଆ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ହରର୍ ଥ୍ରିଲର୍ଠାରୁ ଆରମ୍ଭ କରି ସାମାଜିକ କାହାଣୀ ଓ ପ୍ରେମକାହାଣୀ—ଦର୍ଶକଙ୍କ ପାଇଁ ରହିଛି ବିଭିନ୍ନ ସ୍ୱାଦର ବିକଳ୍ପ। ସେପ୍ଟେମ୍ବର ୧୧ରେ ରିଲିଜ୍ ହୋଇଛି ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସ ବ୍ୟାନରର ବହୁଚର୍ଚ୍ଚିତ ହରର୍ ଥ୍ରିଲର୍ ‘ଦାହାନ- ଦି ଇଭିଲ୍ ୱିଥିନ୍’। ଭୟ, ରହସ୍ୟ ଓ ରୋମାଞ୍ଚକୁ ଆଧାର କରି ତିଆରି ଏହି ଫିଲ୍ମକୁ ନେଇ ରିଲିଜ୍ ପୂର୍ବରୁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଥିଲା।
ଫିଲ୍ମରେ ବର୍ଷା ପଟ୍ଟନାୟକ, ଅରୋଶିଖା ମିଶ୍ର, ସମ୍ରାଟ ମହାପାତ୍ର, ପାର୍ଥସାରଥୀ ରାୟ, ନିଶାନ୍ତ ମଜିଠିଆ, ଚୌଧୁରୀ ଜୟପ୍ରକାଶ ଦାସ ଓ ପ୍ରଣବ ପ୍ରସନ୍ନ ରଥଙ୍କ ସମେତ ଅନେକ କଳାକାର ଅଭିନୟ କରିଛନ୍ତି। ସଂଳାପ ଦାୟିତ୍ୱରେ ପ୍ରଣବ ପ୍ରସନ୍ନ ରଥ ଥିବାବେଳେ ଦୀପକ କୁମାର କ୍ୟାମେରା ଏବଂ ରଶ୍ମିରଞ୍ଜନ ଦାଶ ସମ୍ପାଦନା ଦାୟିତ୍ୱ ସମ୍ଭାଳିଛନ୍ତି। ସଙ୍ଗୀତ ଦେଇଛନ୍ତି ଆଶିଷ ପ୍ରଧାନ। ‘ମନ୍ତ୍ରମୁଗ୍ଧ’ର ସଫଳତା ପରେ ଏହି ଫିଲ୍ମକୁ ନେଇ ନିର୍ମାତାଙ୍କ ଆଶା ମଧ୍ୟ ଅଧିକ ରହିଛି।
ସେହି ଦିନ ଅର୍ଥାତ୍ ସେପ୍ଟେମ୍ବର ୧୧ରେ ପରଦାକୁ ଆସିଛି ଆଉ ଏକ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଦଣ୍ଡକାଳୀ’। ରାଜଶ୍ରୀ ସିନେକ୍ରାପ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ। ଦିଲୀପ ଚୌଧୁରୀ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ମହାଶ୍ୱେତା, ସୂର୍ଯ୍ୟମୟୀ, ସିଦ୍ଧାନ୍ତ, ଉଷସୀ ମିଶ୍ର, ଏଲି ପାଢ଼ୀ, କେ.କେ., ଜୟପ୍ରକାଶ ଦାସ, ଅମର, ତୃପ୍ତି ମୀରାମ୍ବିକା ଓ ଶିଶୁ କଳାକାର ମାଙ୍କେଙ୍କ ଭଳି କଳାକାର ଏଥିରେ ନଜର ଆସିଛନ୍ତି। ଫିଲ୍ମର ସଙ୍ଗୀତ ସମ୍ଭାଳିଛନ୍ତି ପ୍ରେମ ଆନନ୍ଦ।
ଅନ୍ୟପଟେ, ସେପ୍ଟେମ୍ବର ୧୩ରେ ମୁକ୍ତିଲାଭ କରିଛି ରୋମାଣ୍ଟିକ୍ ଜୋନରର ନୂଆ ଓଡ଼ିଆ ସିନେମା ‘ଯଦି’। କାଜଲ ରାୟଙ୍କ ପ୍ରଯୋଜନାରେ ଏବଂ ଦିବ୍ୟଜିତ ଉଦୟ ସିଂହଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ଶୈଳେନ୍ଦ୍ର, ପ୍ରିୟମ୍ବଦା, ଆକାଶ ହୋତା, ଭକ୍ତିରଞ୍ଜନ, ସୁଶାନ୍ତ ଦାସମହାପାତ୍ର, ରବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ରାଣୀ ସାମଲ, ବାଳକୃଷ୍ଣ ନାୟକ ଓ ସୁଶ୍ରୀ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି। ରୁଦ୍ରକାନ୍ତ ସିଂହ ସିନେମାଟୋଗ୍ରାଫି ଦାୟିତ୍ୱରେ ଥିବାବେଳେ ସଙ୍ଗୀତ ସଜାଇଛନ୍ତି ସୋମେଶ ଶତପଥୀ।
ସଫଳତାକୁ ନେଇ ଆଶାବାଦୀ ନିର୍ମାତା
ତିନୋଟି ଫିଲ୍ମର କାହାଣୀ, ଉପସ୍ଥାପନା ଓ ଜୋନର୍ରେ ରହିଛି ଭିନ୍ନତା। ତେଣୁ ଗଣେଶ ପୂଜା ଅବସରରେ ଏହି ତିନି ଚଳଚ୍ଚିତ୍ର ଦର୍ଶକଙ୍କୁ କେତେ ମାତ୍ରାରେ ଆକର୍ଷିତ କରୁଛି, ତାହା ଉପରେ ଏବେ ନଜର। ତିନୋଟି ଫିଲ୍ମକୁ ନେଇ ପ୍ରଯୋଜକ ଓ ଟିମ୍ ଆଶାବାଦୀ ଥିବାବେଳେ ଦର୍ଶକଙ୍କ ରାୟ ହିଁ ଏହାର ସଫଳତାର ମୁଖ୍ୟ ମାପକ ହେବ।
