Home Featuredଖୋର୍ଦ୍ଧାରେ ₹୩,୪୦୬ କୋଟିର ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା

ଖୋର୍ଦ୍ଧାରେ ₹୩,୪୦୬ କୋଟିର ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା

by Lokanath Panigrahi
0 comments

ଭୁବନେଶ୍ୱର: ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପକୁ ମିଳିବ ନୂଆ ଗତି। ଖୋର୍ଦ୍ଧାର ଇନ୍‌ଫୋଭ୍ୟାଲି-୨ରେ ପ୍ରାୟ ₹୩,୪୦୬.୨୫ କୋଟି ବିନିଯୋଗରେ ଏକ ବୃହତ୍ ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ପ୍ରତିଷ୍ଠା ହେବ। ତାମିଲନାଡୁ ଭିତ୍ତିକ SiCSem Private Limited ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଫାଲ୍ଟା ସ୍ପେଶାଲ୍ ଇକୋନୋମିକ୍ ଜୋନ୍‌ (SEZ)ର ୟୁନିଟ୍ ଆପ୍ରୁଭାଲ୍ କମିଟି (UAC) ଅନୁମୋଦନ କରିଛି।

ମଙ୍ଗଳବାର ଜାରି ହୋଇଥିବା ସୂଚନା ଅନୁସାରେ, UACର ୨୧୭ତମ ବୈଠକରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଖୋର୍ଦ୍ଧାର IDCO Infovalley-IIରେ ପ୍ରାୟ ୨୧.୮୮୯ ଏକର ଜମିରେ ଏହି ଅତ୍ୟାଧୁନିକ ୟୁନିଟ୍ ପ୍ରତିଷ୍ଠା କରାଯିବ। ଏହା ଫାଲ୍ଟା SEZର ପ୍ରଶାସନିକ ଅଧୀନରେ କାର୍ଯ୍ୟ କରିବ।

ତିଆରି ହେବ SiC ସେମିକଣ୍ଡକ୍ଟର ଡିଭାଇସ୍

ପ୍ରସ୍ତାବିତ କାରଖାନାରେ ସିଲିକନ୍ କାର୍ବାଇଡ୍ (SiC) ଆଧାରିତ ସେମିକଣ୍ଡକ୍ଟର ଡିଭାଇସ୍ ଉତ୍ପାଦନ ହେବ। ଏଥିରେ SiC ଡାୟୋଡ୍ ଏବଂ SiC MOSFET ଭଳି ଉନ୍ନତ ଇଲେକ୍ଟ୍ରୋନିକ୍ ଉପକରଣ ସାମିଲ ରହିବ।

କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରାୟ ୪୮ ଲକ୍ଷ SiC ଡାୟୋଡ୍ ଏବଂ ୯.୧୨ କୋଟି SiC MOSFET ରହିବା ଆଶା କରାଯାଉଛି। ଏହା ଭାରତରେ ଉନ୍ନତ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷମତା ବଢ଼ାଇବାରେ ସହାୟକ ହୋଇପାରେ।

କେନ୍ଦ୍ର ଓ ରାଜ୍ୟ ସରକାର ଦେବେ ସହାୟତା

ମୋଟ ₹୩,୪୦୬.୨୫ କୋଟିର ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ₹୭୦୦ କୋଟିର ପୁଞ୍ଜି ସବସିଡି ମିଳିବ। ସେହିପରି ଓଡ଼ିଶା ସରକାର ₹୩୫୦ କୋଟି ଆର୍ଥିକ ସହାୟତା ଦେବ। ଅବଶିଷ୍ଟ ₹୧,୯୫୬.୨୫ କୋଟି ପ୍ରମୋଟରଙ୍କ ପକ୍ଷରୁ ବିନିଯୋଗ କରାଯିବ।

୫ ବର୍ଷରେ ₹୭,୦୪୩ କୋଟିର ରପ୍ତାନି ଲକ୍ଷ୍ୟ

ପ୍ରକଳ୍ପରୁ ଆଗାମୀ ୫ ବର୍ଷରେ ପ୍ରାୟ ₹୭,୦୪୩ କୋଟିର ରପ୍ତାନି କାରବାର ହେବାର ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ପ୍ରାୟ ₹୪,୫୨୩ କୋଟିର ନେଟ୍ ବୈଦେଶିକ ମୁଦ୍ରା ଆୟ ହେବାର ଆଶା ରହିଛି।

ଏହି ପ୍ରକଳ୍ପ ଓଡ଼ିଶାରେ ଗଢ଼ିଉଠୁଥିବା ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌କୁ ଆହୁରି ସୁଦୃଢ଼ କରିବା ସହ ଉଚ୍ଚ ପ୍ରଯୁକ୍ତି ଭିତ୍ତିକ ଶିଳ୍ପ ଓ ରପ୍ତାନିକୁ ନୂଆ ଦିଗ ଦେଇପାରେ। ବିଶେଷକରି ଉଚ୍ଚ ପୁଞ୍ଜି ଓ ଅତ୍ୟାଧୁନିକ ପ୍ରଯୁକ୍ତି ଭିତ୍ତିକ ନିବେଶ ଆକର୍ଷଣରେ ଏହା ଓଡ଼ିଶା ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇପାରେ।

You may also like

Leave a Comment