କୋରାପୁଟ ପୁଲିସର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ତଥା ବୋରିଗୁମ୍ମା ପାଟ୍ରୋଲିଂ ଗାଡ଼ି ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ଟୁନା ହରିଜନକୁ ଛତିଶଗଡ଼ର ଜଗଦଲପୁରରୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ଟୁନା ଜଗଦଲପୁରରେ ଲୁଚିଥିବା ଖବର ପାଇବା ପରେ କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ସେଠାକୁ ଯାଇ ତା’ର ଗତିବିଧି ଉପରେ ନଜର ରଖିଥିଲା। ଗୁରୁବାର ଜଗଦଲପୁର ନୂଆ ବସ୍ଷ୍ଟାଣ୍ଡ ନିକଟରେ ଟୁନାକୁ ଏକ ବାଇକ୍ରେ ଯାଉଥିବା ସମୟରେ ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀମାନେ କାବୁ କରିଥିଲେ।
ଗିରଫ ସମୟରେ ତା’ ନିକଟରୁ ଏକ ପିସ୍ତଲ ଓ ୧୦ ରାଉଣ୍ଡ ଗୁଳି ଜବତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଟୁନା ନାମରେ କୋରାପୁଟ ସମେତ ଅନ୍ୟାନ୍ୟ ଜିଲ୍ଲା ଏବଂ ପଡ଼ୋଶୀ ରାଜ୍ୟର ବିଭିନ୍ନ ଥାନାରେ ଚୋରି, ଡକାୟତି ଓ ରାହାଜାନି ଭଳି ୪୦ରୁ ଅଧିକ ମାମଲା ଥିବା ପୁଲିସ କହିଛି।
ବୋରିଗୁମ୍ମା ଘଟଣାରେ ମୋଟ ୮ ଜଣଙ୍କ ଏକ ଡକାୟତ ଗ୍ୟାଙ୍ଗ ସାମିଲ ଥିବା ଏସ୍ପି ସୂଚନା ଦେଇଛନ୍ତି। ଟୁନାକୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ପରେ ତା’ର ଅପରାଧିକ ନେଟୱର୍କ ଏବଂ ଅନ୍ୟ ସହଯୋଗୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିବ ବୋଲି ପୁଲିସ ଆଶା କରୁଛି। ପୁଲିସ ଅନୁସାରେ, ଟୁନା ବିଭିନ୍ନ ଅଞ୍ଚଳରେ ଅଲଗା ଅଲଗା ଗ୍ୟାଙ୍ଗ ଗଠନ କରି ଅପରାଧିକ କାର୍ଯ୍ୟ ଚଳାଉଥିବା ଅଭିଯୋଗ ରହିଛି। ତଦନ୍ତ ଆଗକୁ ବଢ଼ିବା ସହ ଏହି ନେଟୱର୍କର ଅନ୍ୟ ସଦସ୍ୟଙ୍କ ବିଷୟରେ ମଧ୍ୟ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି।
