ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ଏବେ ଅନ୍ତିମ ପର୍ଯ୍ୟାୟରେ। ମେ’ ୩୦ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଚିଠା ତାଲିକାରୁ ବାଦ୍ ପଡ଼ିଥିବା ନାମ, ନୂଆ ପଞ୍ଜୀକରଣ, ଏକାଧିକ ସ୍ଥାନରେ ନାମ ଥିବା ଭୋଟର ଏବଂ ଅନ୍ୟାନ୍ୟ ଅଭିଯୋଗ ଉପରେ ଶୁଣାଣି ଆଜି ଶେଷ ହେବାକୁ ଯାଉଛି। ଏହା ପରେ ସେପ୍ଟେମ୍ବର ୨୧ରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଚାଲିଛି।
ଏସ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ସମୟରେ ରାଜ୍ୟରେ ମୋଟ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଜଣ ଭୋଟର ଥିଲେ। ଜୁଲାଇ ୫ରେ ପ୍ରକାଶିତ ଚିଠା ତାଲିକାରେ ଏହି ସଂଖ୍ୟା ହ୍ରାସ ପାଇ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ହୋଇଥିଲା। ଅର୍ଥାତ୍ ପ୍ରାୟ ୨୦ ଲକ୍ଷ ୧୨ ହଜାର ୫୫୭ ଜଣଙ୍କ ନାମ ଚିଠା ତାଲିକାରେ ରହିନଥିଲା। ଏହି ବାଦ୍ ପଡ଼ିଥିବା ଭୋଟରଙ୍କ ମଧ୍ୟରେ ପ୍ରାୟ ୮.୩୨ ଲକ୍ଷଙ୍କୁ ମୃତ ଭୋଟର ଭାବେ ଚିହ୍ନଟ କରାଯାଇଥିବା ବେଳେ ପ୍ରାୟ ୧୦.୦୭ ଲକ୍ଷ ଭୋଟରଙ୍କୁ ସ୍ଥାନାନ୍ତରିତ କିମ୍ବା ଅନୁପସ୍ଥିତ ବୋଲି ଦର୍ଶାଯାଇଥିଲା। ସେହିପରି ପ୍ରାୟ ୧.୫୮ ଲକ୍ଷ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ଥିବାରୁ ସେଗୁଡ଼ିକୁ ଗୋଟିଏ ସ୍ଥାନରେ ରଖାଯାଇଥିଲା। ଅନ୍ୟ କାରଣରୁ ପ୍ରାୟ ୧୪ ହଜାର ଭୋଟର ମଧ୍ୟ ତାଲିକାରୁ ବାଦ୍ ପଡ଼ିଥିଲେ।
ଚିଠା ତାଲିକା ପ୍ରକାଶ ପରେ ଏସ୍ଆଇଆର୍କୁ ନେଇ ପ୍ରାୟ ୫୮ ଲକ୍ଷ ୩୬ ହଜାରରୁ ଅଧିକ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଥିଲା। ସେମାନଙ୍କ ଠାରୁ ଆପତ୍ତି ଓ ଅଭିଯୋଗ ଗ୍ରହଣ କରି ଶୁଣାଣି କରାଯାଇଛି।
ସୂଚନା ଅନୁଯାୟୀ, ଏହି ଶୁଣାଣି ପର୍ଯ୍ୟାୟରେ ପ୍ରାୟ ୪.୧୪ ଲକ୍ଷ ଭୋଟରଙ୍କ ନାମ ପୁଣି ତାଲିକାରୁ ବାଦ୍ ପଡ଼ିଛି। ଏହା ପରେ ରାଜ୍ୟରେ ପ୍ରାୟ ୩ କୋଟି ୯ ଲକ୍ଷ ୭୨ ହଜାର ଭୋଟର ରହିଥିବା ଜଣାପଡ଼ିଛି।
ଅନ୍ୟପଟେ ନୂଆ ଭୋଟର ଭାବେ ତାଲିକାରେ ସାମିଲ ହେବା ପାଇଁ ୨ ଲକ୍ଷ ୭୯ ହଜାରରୁ ଅଧିକ ଆବେଦନ ମିଳିଛି। ଏହା ସହିତ ବିଭିନ୍ନ କାରଣରୁ ଭୋଟର ତାଲିକାରୁ ନାମ ବାଦ୍ ଦେବା ପାଇଁ ୫୫ ହଜାରରୁ ଅଧିକ ଆବେଦନ ଆସିଛି। ଏସବୁ ଆବେଦନ ଓ ଶୁଣାଣିର ଫଳାଫଳକୁ ହିସାବକୁ ନେଲେ ଚୂଡ଼ାନ୍ତ ତାଲିକାରେ ଓଡ଼ିଶାରେ ପ୍ରାୟ ୩ କୋଟି ୧୨ ଲକ୍ଷ ଯୋଗ୍ୟ ଭୋଟର ରହିପାରନ୍ତି। ତେବେ ଅନ୍ତିମ ସଂଖ୍ୟା ସେପ୍ଟେମ୍ବର ୨୧ରେ ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକା ପରେ ସ୍ପଷ୍ଟ ହେବ।
