ମୁମ୍ବାଇ: ଓଡ଼ିଶା ପାଇଁ ଆଉ ଏକ ଗୌରବର ମୁହୂର୍ତ୍ତ। ଲୋକପ୍ରିୟ ସଙ୍ଗୀତଭିତ୍ତିକ ରିଆଲିଟି ଶୋ ଇଣ୍ଡିଆନ୍ ଆଇଡଲ୍ ୧୬ର ଗ୍ରାଣ୍ଡ ଫିନାଲେରେ ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି। ବିଜେତା ଭାବେ ସେ ଟ୍ରଫି ସହ ₹୨୦ ଲକ୍ଷ ନଗଦ ପୁରସ୍କାର ହାସଲ କରିଛନ୍ତି।
ଗ୍ରାଣ୍ଡ ଫିନାଲେରେ ଜବଲପୁରର ତନିଷ୍କ ଶୁକ୍ଲା ରନର୍ସ-ଅପ୍ ହୋଇଥିବାବେଳେ, ଜ୍ୟୋତିର୍ମୟୀ ତାଙ୍କ ସୁରିଲା କଣ୍ଠ ଓ ଅସାଧାରଣ ପ୍ରଦର୍ଶନ ମାଧ୍ୟମରେ ବିଚାରକ ଏବଂ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିଲେ। ଏହି ସିଜନର ବିଚାରକ ଭାବେ ଶ୍ରେୟା ଘୋଷାଲ, ବିଶାଳ ଡାଡଲାନୀ ଓ ବାଦଶାହ ଦାୟିତ୍ୱ ନିଭାଇଥିଲେ।
ବିଜୟ ପରେ ଜ୍ୟୋତିର୍ମୟୀ କହିଛନ୍ତି ଯେ, ସେ ଏହି ସଫଳତାକୁ କର୍କଟ ରୋଗୀମାନଙ୍କୁ ସମର୍ପଣ କରୁଛନ୍ତି। ପ୍ରାୟ ୧୦ ମାସର ଦୀର୍ଘ ସଙ୍ଗୀତ ଯାତ୍ରା ପରେ ସେ ଇଣ୍ଡିଆନ୍ ଆଇଡଲ୍ର ବିଜୟ ମୁକୁଟ ହାସଲ କରିଛନ୍ତି। ସେ ଗତ ବର୍ଷ ସେପ୍ଟେମ୍ବର ୧୪ରେ ପ୍ରତିଯୋଗିତା ପାଇଁ ମୁମ୍ବାଇ ଯାଇଥିଲେ। ଚଳିତ ସିଜନର ‘ୟାଦୋଁ କି ପ୍ଲେଲିଷ୍ଟ’ ଥିମ୍ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିବାରୁ ଶୋ’ର ସମୟସୀମାକୁ ଦୁଇଥର ବୃଦ୍ଧି କରାଯାଇଥିଲା।
ଜ୍ୟୋତିର୍ମୟୀ ନାୟକ ବାଲେଶ୍ୱର ଜିଲ୍ଲାର ନୀଳଗିରିର ବାସିନ୍ଦା ଏବଂ ସେ କିଟ୍ (KIIT)ର ଛାତ୍ରୀ। ତାଙ୍କ ଏହି ସଫଳତା ପରେ ସାରା ଓଡ଼ିଶାରେ ଖୁସିର ମାହୋଲ ସୃଷ୍ଟି ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜ୍ୟୋତିର୍ମୟୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ତାଙ୍କ ଏହି ସଫଳତା ଓଡ଼ିଶା ପାଇଁ ଗର୍ବର ବିଷୟ ଏବଂ ରାଜ୍ୟର ଯୁବ ପ୍ରତିଭାମାନଙ୍କ ପାଇଁ ପ୍ରେରଣାଦାୟକ।
