Home Odishaଜାତୀୟସ୍ତରୀୟ କ୍ରୀଡ଼ାରେ ଚମକିଲେ ଓଡ଼ିଶା ପୁଲିସ କ୍ରୀଡ଼ାବିତ; ୧୨ ପଦକ ବିଜେତାଙ୍କୁ ଡିଜିପିଙ୍କ ସମ୍ବର୍ଦ୍ଧନା

ଜାତୀୟସ୍ତରୀୟ କ୍ରୀଡ଼ାରେ ଚମକିଲେ ଓଡ଼ିଶା ପୁଲିସ କ୍ରୀଡ଼ାବିତ; ୧୨ ପଦକ ବିଜେତାଙ୍କୁ ଡିଜିପିଙ୍କ ସମ୍ବର୍ଦ୍ଧନା

by Lokanath Panigrahi
0 comments

ଜାତୀୟସ୍ତରୀୟ ଜୁଡୋ, ତାଇକୋଣ୍ଡୋ ଓ କରାଟେ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଓଡ଼ିଶା ପୁଲିସର ୧୨ ଜଣ କ୍ରୀଡ଼ାବିତଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ସମ୍ବର୍ଦ୍ଧିତ କରିଛନ୍ତି। ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୃତୀ ଖେଳାଳିମାନଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଯାଇଥିଲା।

ଜୁଲାଇ ୨୩ରୁ ୩୦ ପର୍ଯ୍ୟନ୍ତ ହାଇଦ୍ରାବାଦର ଗଚ୍ଛିବୋଉଲି ଇନଡୋର ଷ୍ଟାଡିୟମରେ ଆୟୋଜିତ ୧୧ତମ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର (୨୦୨୬-୨୭) ଏବଂ ଜୁଲାଇ ୮ରୁ ୧୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁଣେରେ ଅନୁଷ୍ଠିତ ୫ମ ସିନିୟର ନ୍ୟାସନାଲ ଇଣ୍ଡିଆ ତାଇକୋଣ୍ଡୋ ପୁମସେ ଚାମ୍ପିଅନସିପ୍-୨୦୨୬ରେ ଓଡ଼ିଶା ପୁଲିସର ଜୁଡୋ, ତାଇକୋଣ୍ଡୋ, କରାଟେ ଓ ପେନକାକ ସିଲଟ ଦଳ ଅଂଶଗ୍ରହଣ କରି ବିଭିନ୍ନ ବିଭାଗରେ ପଦକ ହାସଲ କରିଥିଲେ।

ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ କହିଥିଲେ ଯେ, ଓଡ଼ିଶା ପୁଲିସର କ୍ରୀଡ଼ାବିତମାନଙ୍କ ସଫଳତା ସମଗ୍ର ପୁଲିସ ବିଭାଗ ଏବଂ ରାଜ୍ୟ ପାଇଁ ଗର୍ବର ବିଷୟ। ସେମାନଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ଅନୁଶାସନ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ସେ କହିଥିଲେ। ସେହିପରି ରୌପ୍ୟ ପଦକ ବିଜେତାଙ୍କୁ ୪ ହଜାର ଟଙ୍କା ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୩ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ଡିଜି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, କଟକ-ଭୁବନେଶ୍ୱର ପୁଲିସ କମିଶନର ଡଃ ଦେବଦତ୍ତ ସିଂ ଉପସ୍ଥିତ ରହି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶା ପୁଲିସର କ୍ରୀଡ଼ା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପ୍ରମୁଖ ପଦକ ବିଜେତା

  • ଡବ୍ଲ୍ୟୁସି/୨୭ ସାଶ୍ୱତୀ ନାୟକ (ତାଇକୋଣ୍ଡୋ) – ୧୧ତମ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟରରେ ରୌପ୍ୟ ଏବଂ ୫ମ ସିନିୟର ନ୍ୟାସନାଲ ତାଇକୋଣ୍ଡୋରେ କାଂସ୍ୟ ପଦକ।
  • ସି/୪୫ ସତ୍ୟପ୍ରକାଶ ମହାନ୍ତି (ତାଇକୋଣ୍ଡୋ) – ଉଭୟ ପ୍ରତିଯୋଗିତାରେ କାଂସ୍ୟ ପଦକ।

କରାଟେ (୧୧ତମ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର)

ରୌପ୍ୟ ପଦକ

  • ଡବ୍ଲ୍ୟୁସି/୯୬୮ ବ୍ରତତୀ ବିଶ୍ୱପ୍ରଭା ପତି (ବ୍ୟକ୍ତିଗତ ମହିଳା କୁମିତେ)
  • ସି/୧୩୬ ରଜନୀ ବିଶି (ବ୍ୟକ୍ତିଗତ ପୁରୁଷ କୁମିତେ)
  • ସି/୧୫୯ ଡି. ଭଗବାନ ରେଡ୍ଡୀ (ବ୍ୟକ୍ତିଗତ ପୁରୁଷ କୁମିତେ)
  • ସି/୧୩୫ ରୀତେଶ ରାୟ (ବ୍ୟକ୍ତିଗତ ପୁରୁଷ କୁମିତେ)

କାଂସ୍ୟ ପଦକ (ବ୍ୟକ୍ତିଗତ)

  • ଏଏସଆଇ(A) ଯୋଗେଶ ବରିହା (ପୁରୁଷ କାଟା)
  • ଡବ୍ଲ୍ୟୁସି/୯୬୮ ବ୍ରତତୀ ବିଶ୍ୱପ୍ରଭା ପତି (ମହିଳା କୁମିତେ)

କାଂସ୍ୟ ପଦକ (ଦଳଗତ)

  • ମହିଳା ଟିମ୍ କୁମିତେ: ବ୍ରତତୀ ବିଶ୍ୱପ୍ରଭା ପତି, ଅନୁପମା ସ୍ୱାଇଁ, ମୋନାଲି ସାହୁ ଓ ସୁସ୍ମିନି ପଲଟାସିଂହ।
  • ମହିଳା ଟିମ୍ କାଟା: ଅନୁପମା ସ୍ୱାଇଁ, ସିନ୍ଧୁ ତନୟା ଖୁଣ୍ଟିଆ ଓ ଅନୁରାଧା ପାତ୍ର।

ଓଡ଼ିଶା ପୁଲିସର କ୍ରୀଡ଼ାବିତମାନଙ୍କ ଏହି ସଫଳତା ଜାତୀୟସ୍ତରରେ ରାଜ୍ୟର କ୍ରୀଡ଼ା ପ୍ରତିଭାକୁ ପୁଣିଥରେ ପ୍ରତିଷ୍ଠିତ କରିବା ସହ ଆଗାମୀ ଦିନରେ ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।

You may also like

Leave a Comment