ଓଡ଼ିଶାର ବର୍ତ୍ତମାନର ଓ ପୂର୍ବତନ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନ୍ସନ୍ରେ ପରିବର୍ତ୍ତନ ଆଣିବା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ଏନେଇ ଦରମା ଓ ଭତ୍ତା ସମ୍ପର୍କିତ ସଂସଦୀୟ ଯୁଗ୍ମ କମିଟି ଭୁବନେଶ୍ୱର ଗସ୍ତ କରି ଓଡ଼ିଶା ବିଧାନସଭାର ବାଚସ୍ପତି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରିଛି। କମିଟି ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ସହ ପୃଥକ ଭାବେ ଆଲୋଚନା କରାଯାଇଛି। ବୈଠକରେ ବର୍ତ୍ତମାନର ବିଧାୟକମାନଙ୍କ ଦରମା ଓ ଭତ୍ତା ସହିତ ପୂର୍ବତନ ବିଧାୟକଙ୍କ ପେନ୍ସନ୍ ଓ ଅନ୍ୟାନ୍ୟ ସୁବିଧା ନେଇ ବିସ୍ତୃତ ଭାବେ ତଥ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।
ଏହା ସହ ଓଡ଼ିଶାର ବିଧାୟକମାନେ ପାଉଥିବା ସୁବିଧାକୁ ସଂସଦ ସଦସ୍ୟ ଏବଂ ଅନ୍ୟ ରାଜ୍ୟର ବିଧାୟକମାନଙ୍କ ଦରମା ଓ ଭତ୍ତା ସହ ତୁଳନା କରାଯାଇଛି। ଏହି ତୁଳନାତ୍ମକ ତଥ୍ୟ ଆଧାରରେ ଓଡ଼ିଶାର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଆର୍ଥିକ ସୁବିଧାରେ ପରିବର୍ତ୍ତନ ଆବଶ୍ୟକ କି ନାହିଁ, ସେନେଇ କମିଟି ବିଚାରବିମର୍ଶ କରିଛି। ପୂର୍ବରୁ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ନେଇ ରାଜନୈତିକ ମହଲ ସହ ବିଭିନ୍ନ ବର୍ଗରୁ ପ୍ରତିକ୍ରିୟା ଆସିଥିଲା। ଏହା ପରେ ପ୍ରସଙ୍ଗଟି ଆଗକୁ ବଢ଼ିନଥିଲା। ଏବେ ସଂସଦୀୟ ଯୁଗ୍ମ କମିଟିର ଆଲୋଚନା ପରେ ଏହି ବିଷୟ ପୁଣି ଗୁରୁତ୍ୱ ପାଇଛି।
କମିଟିର ଅଧ୍ୟକ୍ଷ ସାଂସଦ ବୀରେନ୍ଦ୍ର ପ୍ରସାଦ ବୈଶ୍ୟଙ୍କ ସହ ଅନ୍ୟ ସଦସ୍ୟମାନେ ଏହି ଆଲୋଚନାରେ ସାମିଲ ହୋଇଥିଲେ। ତେବେ ଦରମା, ଭତ୍ତା କିମ୍ବା ପେନ୍ସନ୍ରେ କେତେ ପରିବର୍ତ୍ତନ ହେବ, ତାହା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରବର୍ତ୍ତୀ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ।
