ଭୁବନେଶ୍ୱର: ଦିବ୍ୟାଙ୍ଗ ଶିଶୁ ଶିବାଙ୍ଗୀ ବୈଷ୍ଣବୀ ନାୟକଙ୍କ ଚିକିତ୍ସା ପାଇଁ ତତ୍ପରତା ଦେଖାଇଛନ୍ତି ଓଡ଼ିଶା ସରକାର। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶ ପରେ ଶିବାଙ୍ଗୀଙ୍କ ଆବଶ୍ୟକ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ବ୍ୟବସ୍ଥା କରାଯାଇଛି।
ସୂଚନା ଅନୁସାରେ, ଡେବିପ୍ରସାଦ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଶିବାଙ୍ଗୀଙ୍କ ଚିକିତ୍ସା ସମ୍ପର୍କରେ ଜଣାଇଥିଲେ। ଏହି ଘଟଣା ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଦୃଷ୍ଟିକୁ ଆସିବା ପରେ ସେ ସ୍ୱାସ୍ଥ୍ୟ ବିଭାଗକୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିବାଙ୍ଗୀଙ୍କୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏମ୍ସ ଭୁବନେଶ୍ୱରରେ ତାଙ୍କ ହାତର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ଶିଶୁଟିର ଚିକିତ୍ସା ପ୍ରକ୍ରିୟା ସୁଗମ ଭାବେ ଜାରି ରହିବା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିବା କୁହାଯାଇଛି।
ଏହା ପୂର୍ବରୁ ମଧ୍ୟ ୨୦୨୫ ମସିହାରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଶିବାଙ୍ଗୀଙ୍କୁ ସହାୟତା ପ୍ରଦାନ କରିଥିଲେ। ସେତେବେଳେ ତାଙ୍କୁ ଶ୍ରବଣ ଯନ୍ତ୍ର ଯୋଗାଇବା ସହ ଆବଶ୍ୟକ ସହାୟତା କରାଯାଇଥିଲା।
ଶିବାଙ୍ଗୀଙ୍କ ଚିକିତ୍ସାରେ ତତ୍ପରତା ଦେଖାଇ ସହାୟତା କରିଥିବାରୁ ତାଙ୍କ ପରିବାର ପକ୍ଷରୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ କୃତଜ୍ଞତା ଜଣାଯାଇଛି। ଦିବ୍ୟାଙ୍ଗ ଶିଶୁଙ୍କ ସମେତ ଆବଶ୍ୟକତା ଥିବା ଲୋକଙ୍କୁ ସମୟୋଚିତ ଚିକିତ୍ସା, ସାମାଜିକ ସୁରକ୍ଷା ଓ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି କୁହାଯାଇଛି।
