ନୂଆପଡ଼ା ସବ୍ଜେଲ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ଜଣେ ଦଣ୍ଡିତ କଏଦୀଙ୍କ ଫେରାର ଘଟଣା। ସୋମବାର ସକାଳେ ଜେଲ୍ ପରିସରରୁ ଜଣେ କଏଦୀ ଖସି ପଳାଇଥିବା ଜଣାପଡ଼ିଛି। ଫେରାର କଏଦୀ ହେଲେ ସିନାପାଲି ଥାନା ଅଞ୍ଚଳର କାନ୍ଦୁଲକୋନା ଗାଁର ୩୦ ବର୍ଷୀୟ ବିଶ୍ୱବିହାରୀ ସିଂ ମାଝୀ। ସୂଚନା ଅନୁସାରେ, ସକାଳ ପ୍ରାୟ ୮ଟା ସମୟରେ ଜେଲ୍ ପରିସରରେ ସଫେଇ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିର ସୁଯୋଗ ନେଇ ବିଶ୍ୱବିହାରୀ ଜେଲ୍ ପରିସରରୁ ବାହାରି ଯାଇଥିବା କୁହାଯାଉଛି। ଘଟଣା ଜଣାପଡ଼ିବା ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିଲା।
ଜେଲର୍ ବଳରାମ ମାଝୀଙ୍କ ସୂଚନା ଅନୁସାରେ, ୨୦୨୧ ମସିହାରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ମାମଲାରେ ବିଶ୍ୱବିହାରୀ ଗିରଫ ହୋଇଥିଲେ। ମାମଲାର ବିଚାର ପରେ ନୂଆପଡ଼ା ଅଦାଲତ ୨୦୨୩ରେ ତାଙ୍କୁ ୨୦ ବର୍ଷର କାରାଦଣ୍ଡ ଦେଇଥିଲେ। ଏହାପରେ ସେ ନୂଆପଡ଼ା ସବ୍ଜେଲ୍ରେ ଦଣ୍ଡ ଭୋଗୁଥିଲେ। କଏଦୀ ଫେରାର ହେବା ପରେ ତାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ଖୋଜାଖୋଜି ସହ ଘଟଣାର ସମସ୍ତ ଦିଗ ଉପରେ ପୁଲିସ ତଦନ୍ତ କରୁଛି। ଏଥିସହ ଜେଲ୍ରୁ କଏଦୀ କିଭଳି ଭାବେ ଫେରାର ହେବାରେ ସଫଳ ହେଲେ, ସେନେଇ ମଧ୍ୟ ଯାଞ୍ଚ ଚାଲିଥିବା ଜଣାପଡ଼ିଛି।
